Unknown

 

 

 

 

 

 

 

 

 

 

 

ବିରାଟଗୀତା

ଭକ୍ତକବି ବଳରାମ ଦାସ

 

ପ୍ରଥମ ଅଧ୍ୟାୟ

 

ଅର୍ଜ୍ଜୁନ ଉବାଚ

ନମସ୍ତେ ଗୁରୁଦେବ ସ୍ଵାମୀ

ନମସ୍ତେ ଗୁରୁ ଅନ୍ତର୍ଯ୍ୟାମୀ

।।

ନମସ୍ତେ ଗୁରୁ ପରଂବ୍ରହ୍ମ

ମହା ଶୂନ୍ୟରେ ତୋ ବିଶ୍ରାମ

।।

ଅର୍ଜୁନ ବୋଲଇ ଗୋସାଇଁ

ନାମ ନିର୍ଣ୍ଣୟ କହ ଫେଇ

।।

ଅର୍ଜୁନ ବିନୟ ଭାବରେ

ପଡ଼ଇ ଶ୍ରୀକୃଷ୍ଣ ପୟରେ

।।

ମୋତେ ତ ସଂଶୟ ଲାଗିଲା

କାହୁଁ ସେ ନାମ ଜାତ ହେଲା

।।

ଯାହାର ରୂପ ରେଖ ନାହିଁ

ଶୂନ୍ୟ ପୁରୁଷ ଶୂନ୍ୟ ଦେହୀ

।।

ଯାହାର ଶୂନ୍ୟ ଅଟେ ଦେହୀ

ଆବର ନାମ ଥିବ କାହିଁ

।।

ମାତାର ଗର୍ଭେ ଯେବେ ଥିଲୁ

ସେଠାରେ ନାମ ନ କହିଲୁ

।।

ଆଦ୍ୟରେ ନାମ ନାହିଁ ଆଉ

ପ୍ରାନ୍ତରେ ନାମ ଥିବ କାହୁଁ

।।

ମଧ୍ୟରେ କେତେ ନାମ ତୋର

ଫେଡ଼ି କହିବା ମୋ ଆଗର

।।

ଗୋବିନ୍ଦ ନାମ କାହୁଁ ହେଲା

କୃଷ୍ଣ କେମନ୍ତେ ବୋଲାଇଲା

।।

ମାଧବ ମୁରାରି ଅଚ୍ୟୁତ

ରାମ ବୋଲିଣ କାହୁଁ ଜାତ

।।

ହରି କେଶବ ଜନାର୍ଦ୍ଦନ

କିମ୍ପା ତୋ ନାମ ଭଗବାନ

।।

ନାରାୟଣଟି କାହୁଁ ହୋଇ

କିପାଇଁ ନରହରି କହି

।।

ଜଗନ୍ନାଥ ଯେ ନାମ ତୋର

କିପାଇଁ ହେଲା ଚକ୍ରଧର

।।

ଆରତ ଭଞ୍ଜନ କିପାଇଁ

ହେଲା ତୋ ନାମ ଭାବଗ୍ରାହୀ

।।

କରୁଣା ସିନ୍ଧୁ ବୋଲାଇଲୁ

ଦୟାସାଗର ନାମ ହେଲୁ

।।

ପତିତ ପାବନ ବୋଲାଉ

ଜଗତନାଥ କିମ୍ପା ହେଉ

।।

କିମ୍ପା ବୋଲାଉ ଆଦିମୂଳ

କୃପାଜଳଧି ଶ୍ରୀ ଗୋପାଳ

।।

କିମ୍ପା ତୋ ରାମଚନ୍ଦ୍ର ନାମ

କିମ୍ପା ବୋଲାଉ ଦାରୁବ୍ରହ୍ମ

।।

କେମନ୍ତେ ନାମ ଦଇତ୍ୟାରି

କିମ୍ପା ତୋ ନାମ ନୀଳଗିରି

।।

ଭକତବନ୍ଧୁ କିମ୍ପା ନାମ

କିମ୍ପା ବୋଲାଉ ପରଂବ୍ରହ୍ମ

।।

ପୁରୁଷୋତ୍ତମ ତୁ ବୋଲାଉ

ବନମାଳୀ ନାମକୁ ବହୁ

।।

କିମ୍ପା ତୋ ନାମ ଦୟାନିଧି

ଶ୍ରୀବତ୍ସ ନାମ ଯେ ପ୍ରସିଦ୍ଧି

।।

ଅରୂପବ୍ରହ୍ମ ତୁ ବୋଲାଉ

କିରୂପେ ଏତେ ନାମ ବହୁ

।।

ତୁ ପୁଣ୍ୟରୂପ ଶୂନ୍ୟ ଦେହି

କିମର୍ଥେ ଏତେ ନାମବହୁ

।।

ରୂପ ଯେତେକ ନାମ ହୋଇ

ଅରୂପ ନାମ ଆଉ ନାହିଁ

।।

ଅର୍ଜୁନ ଶିରେ ଦେଇ କର

ବୋଲଇ କହି ତତ୍ତ୍ଵସାର

।।

ଶ୍ରୀ ଭଗବାନୁବାଚ

ଅର୍ଜ୍ଜୁନ ଭକ୍ତି ଶୁଣି କର୍ଣ୍ଣେ

କହନ୍ତି କୋମଳ ବଚନେ

।।

ଶୁଣ ଅର୍ଜ୍ଜୁନ ମନ ଦେଇ

କହିବା ନାମ ତତ୍ତ୍ଵ ଫେଇ

।।

ମହା ଶୂନ୍ୟରେ ଟି ବିଶ୍ରାମ

ସେଠାରେ କାହିଁ ଅଛି ନାମ

।।

କହନ୍ତି ପ୍ରଭୁ ଭାବଗ୍ରାହୀ

ଶୁଣ ଅର୍ଜ୍ଜୁନ ମନ ଦେଇ

।।

ଯେଣୁ ତୁ ଭକତ ମୋହର

ତେଣୁ କହିବା ତତ୍ତ୍ଵସାର

।।

ବେଭାରେ ମୋର ନାମ ନାହିଁ

ଏକା ମୁଁ ମହାଶୂନ୍ୟେ ଥାଇ

।।

ବିରାଟ ରୂପେ ଥିଲି ମୁହିଁ

ମୋ ବିନୁ ଆନ କେହିଁ ନାହିଁ

।।

ମୋ ମନେ ହେତୁ ପ୍ରସରିଲା

ନିଶ୍ଚେଁ ଏ ସୃଷ୍ଟି ନାଶ ଗଲା

।।

ଏମନ୍ତ ମନେ ବିଚାରିଲି

ଶୂନ୍ୟରୁ ବିନ୍ଦୁ ଛାଡ଼ିଦେଲି

।।

ସେ ବିନ୍ଦୁ ଗଗନେ ଖସିଲା

ତା ରୂପ ଧୁମ୍ର ବର୍ଣ୍ଣ ହେଲା

।।

ଧୂମ୍ର ବର୍ଣ୍ଣରୁ ହେଲା ଶକ୍ତି

ଶକ୍ତିରୁ ଓ କାର ଜନ୍ମନ୍ତି

।।

ଓଁ କାରୁ ତ୍ରିବୀଜ ଜନ୍ମିଲା

ତ୍ରିବୀଜୁ ନାମ ଜାତ ହେଲା

।।

ନାମରୁ ବ୍ରହ୍ମା-ବିଷ୍ଣୁ ଜାତ

ନାମରୁ ଜଗତ ସମ୍ଭୁତ

।।

ଛପନ କୋଟି ଜୀବ ଯେତେ

ନାମରେ ଅଛନ୍ତି ସମସ୍ତେ

।।

ରାମ ଅକ୍ଷର ଗୁରୁ ହୋଇ

ହରି ଅକ୍ଷର ଶିଷ୍ୟ ତହିଁ

।।

କୃଷ୍ଣ ଅକ୍ଷର ଜଗନ୍ନାଥ

ଏମନ୍ତେ ଗୁରୁ ଶିଷ୍ୟ ମତ

।।

ନାମ ସେ ଜଳ ସ୍ଥଳ ଚର

ପାଷାଣ ମୃତ୍ତିକା ସ୍ଥାବର

।।

ନାମ ନ ଥିବା ଠାବ ନାହିଁ

ନାମ ସେ ସର୍ବଠାରେ ଗ୍ରାହୀ

।।

ରାଉଛି ସର୍ବ ଘଟେ ନାମ

ନାମ ଛାଡ଼ିଲେ ଦେହ ଶୂନ୍ୟ

।।

ନାମ ଛାଡ଼ିଲେ ପ୍ରାଣ ଗଲା

ଏ ଦେହ ସ୍ଥକିତ ହୋଇଲା

।।

ଶୁଣ ଅର୍ଜୁନ ମନ ଦେଇ

କହିଲି ନାମ ତତ୍ତ୍ଵ ଫେଇ

।।

ଏହା ତୁ ମନେ ହେତୁ କର

ନାମକୁ ଘେନି ବେଗେ ତର

।।

ସୁଜନେ ନାମବ୍ରହ୍ମ ଜପ

ଜପିଲେ ଯିବା ମହା ପାପ

।।

କହଇ ବଳରାମ ଦାସ

ବିରାଟ ଗୀତା ମହା ରସ

।।

 

ଇତି ଶ୍ରୀ ବିରାଟ ଗୀତାୟାଂ ବ୍ରହ୍ମବିଦ୍ୟାୟାଂ ବୈୟାସିକ୍ୟାଂ ପରମହଂସ୍ୟାଙ୍ଗ

ସଂହିତାୟାଂ ଶ୍ରୀହରି-ଅର୍ଜ୍ଜୁନ ସମ୍ଵାଦେ ନାମ ପ୍ରଥମୋଽଧ୍ୟାୟଃ ।

Image

 

ଦ୍ଵିତୀୟ ଅଧ୍ୟାୟ

 

ଅର୍ଜ୍ଜୁନ ଉବାଚ

ଅର୍ଜ୍ଜୁନ ବୋଲଇ ଗୋସାଇଁ

ନାମର ତତ୍ତ୍ଵ କହ ଫେଇ

।।

ଅରୂପ ବ୍ରହ୍ମ ତୁ ବୋଲାଉ

ଏତେକ ନାମ କିମ୍ପା ବହୁ

।।

ଏମନ୍ତ ଆଜ୍ଞା ମୋତେ ହେଉ

କେମନ୍ତେ ଏତେ ନାମ ବହୁ

।।

ଏ ଆଜ୍ଞା କିହ ଫେଡ଼ି କରି

ନମସ୍ତେ ପ୍ରଭୁ ଦଇତ୍ୟାରି

।।

ଶ୍ରୀ ଭଗବାନୁବାଚ

ଅର୍ଜ୍ଜୁନ ବାକ୍ୟେ ଭଗବାନ

କହନ୍ତି ନାମ ତତ୍ତ୍ଵ ଜ୍ଞାନ

।।

ଅର୍ଜ୍ଜୁନ ନାମ ମୋର ଯେତେ

ଭକତ ଦେଲେ ତୋଷଚିତ୍ତେ

।।

ଭକତ ମୋର ପିତା ହୋଇ

ସକଳ ନାମ ଛନ୍ତି ଦେଇ

।।

ପିତା ମାତାଙ୍କ ଯୁଗ୍ମ କାଳେ

ଭାବ କରନ୍ତି ସୁଖ ଭୋଳେ

।।

ଭାବରୁ ଜାତ ହେଲି ମୁହିଁ

ଏଣୁ ବୋଲାଇ ଭାବଗ୍ରାହୀ

।।

ଯେଣୁ ଭାବରୁ ହେଲି ଜନ୍ମ

ତେଣୁ ମୋ ଭାବଗ୍ରାହୀ ନାମ

।।

ମାତା ପଦ୍ମକୁ ସିନ୍ଧୁ କହି

ସେ ସିନ୍ଧୁ ମୋର ବାସ ହୋଇ

।।

ସେ କୃପାସିନ୍ଧୁ ମୋର ସ୍ଥାନ

ଏଣୁ ମୋ କୃପାସିନ୍ଧୁ ନାମ

।।

ଯେଣୁ ମୁ୍ଁ ନର କଳେବର

ନାରାୟଣ ନାମ ମୋହର

।।

ମାତାର ପଦ୍ମେ ମୋର ବାସ

ରଜରୁ ହୋଇଲି ପ୍ରକାଶ

।।

ରଜ ଯେ ମାତା ପଦ୍ମେ ଥାଇ

ସେ ରଜେ ବୀର୍ଯ୍ୟ ଯେ ପଶଇ

।।

ସେ ରଜ ବନ୍ଧୁ ପ୍ରାୟ ହୋଇ

ଅତି ଯତନେ ସମ୍ଭାଳଇ

।।

ଭକତ ବନ୍ଧୁ ମୋର ନାମ

ତେଣୁ ହୋଇଲା ହେ ଅର୍ଜ୍ଜୁନ

।।

ମାତାର ପଦ୍ମ ଫୁଟିଥାଇ

ତହୁଁ ପିତା ବୀର୍ଯ୍ୟ ପଡ଼ଇ

।।

ରଜ ବୀର୍ଯ୍ୟର ମଧ୍ୟେ ମୁହିଁ

ପବନ ଅଗ୍ନି ରୂପେ ଥାଇ

।।

ଏମନ୍ତେ ପ୍ରକାଶଇ କାୟେ

ଶରୀର ସର୍ବସଦ୍ଧି ହୋଏ

।।

ବିରାଟ ହୋଇ ପଡ଼ିଥାଇ

ଅଧାର ତାଳୁକାରେ ଖାଇ

।।

ମାତା ପାତାଙ୍କ ଯୁକ୍ତ କାଳେ

ବୀର୍ଯ୍ୟ ପଡ଼ଇ ତାଳୁକାରେ

।।

ସେ ମକରନ୍ଦ ପାନ କଲି

ମୁକୁନ୍ଦ ନାମ ମୁଁ ବହିଲି

।।

ବିନ୍ଦୁରେ ଯହୁଁ ଆତଯାତ

ଗୋବିନ୍ଦ ନାମ ମୋ ସମ୍ଭୁତ

।।

ଜଳ ବୋଲିଣ ଦେହ ପ୍ରାଣ

ପବନ ବୋଲି ହୋ ଅର୍ଜ୍ଜୁନ

।।

ପବନେ ନାମ ଗୁନ୍ଥା ହୋଇ

ଏଣୁ ବନମାଳୀ ବୋଲାଇ

।।

କ୍ଳୀଂ ଅକ୍ଷରୁ ଜାତ ହେଲି

ଏଣୁ କୃଷ୍ଣ ମୁଁ ବୋଲାଇଲି

।।

ରଜ ରୂପରେ ଜାତ ହୋଇ

ବୀର୍ଯ୍ୟ ରୂପରେ ଜନ୍ମ ହୋଇ

।।

ରଜରେ ବୀର୍ଯ୍ୟ ଜାତ ହେଲା

ରାମ ନାମଟି ବୋଲାଇଲା

।।

ମାତାର ପଦ୍ମେ ରଜ ଥାଇ

ବୀର୍ଯ୍ୟଟି ରାଧା ରୂପେ ଯାଇ

।।

ନିତ୍ୟ ଅଂଶଟି ମୋର ସେହି

ରାଧିକା ନାମ ମୁଁ ବୋଲାଇ

।।

ମାତାର ଗର୍ଭ୍ୟେ ଗୋପ୍ୟ ହେଲି

ବାଳୁତ ରୂପେ ମୁଁ ରହିଲି

।।

ଏଣୁ ଗୋପାଳ ମୋର ନାମ

ଏହି ଗୁପତ କଥା ଜାଣ

।।

ଜ୍ୟୋତି ରୂପରେ ମୋର ଦେହି

ଏଣୁ ଅନନ୍ତ ନାମ ବହି

।।

ଜଗତ ବୋଲିଟି ଶରୀର

ଶରୀରୁ ଜଗତ ସଂସାର

।।

ଯୋନିରୁ ଯହୁଁ ଜାତ ହେଲି

ବାଳୁତ ରୂପ ମୁଁ ବହିଲି

।।

ଜଗତ ଶରୀର ଅଟଇ

ପବନ ପାତି ତହିଁ ଥାଇ

।।

ଏଣୁ ଜଗତପତି ନାମ

ତୋ ଆଗେ କହିଲି ଅର୍ଜ୍ଜୁନ

।।

ପତିତ ରଜ ଭୋଗ ହେଲା

ପବନ ତହିଁରେ ମିଶିଲା

।।

ପତିତ ପାବନ ସେ ନାମ

ତେଣୁଟି ହୋଇଲା ଅର୍ଜ୍ଜୁନ

।।

ତ୍ରିକୁଟ କାଳିନ୍ଦୀର ହ୍ରଦ

ମଧ୍ୟରେ ବହେ ଶିଶୁପାଦ

।।

ଶ୍ରୀବତ୍ସ ନାମଟି ମୋହର

ଏଣୁ ହୋଇଲା ମୋ ବିହାର

।।

ଏରୂପେ ମୋର ନାମ ଯେତେ

ଭକତ ଦେଲେ ତୋଷଚିତ୍ତେ

।।

କଳା ଡୋଳାଟି ଏ ରାଜାର

ନୀଳ ଡୋଳାଟି ଏହି ଚାର

।।

ଗୁରୁ ମଧ୍ୟରେ ବିନ୍ଦୁ ଯେହି

ସଅ ଅକ୍ଷର ଅଟେ ସେହି

।।

ନାମର ଯନ୍ତ୍ର ଏହି ସ୍ଥାନ

ଅର୍ଜ୍ଜୁନ ଭଲ କରି ଚିହ୍ନ

।।

ଭକତ ମୋର ପିତା ହୋଇ

ମୋ ନାମ ଜଗତ କହଇ

।।

ଭକତ ପିତା ମୋ ଅଟନ୍ତି

ସେ ମୋତେ ନାମ ଦେଇଛନ୍ତି

।।

ନାମ ଥିଲାକୁ ଦେହି ଅଛି

ନାମଟି ଜଗତେ ପରିଛି

।।

ନାମ ଛାଡ଼ିଲେ ପିଣ୍ଡ ଗଲା

ନାମଟି ବିରାଟେ ମିଶିଲା

।।

ନାମଟି ସଂସାରର ସାର

ନାମ ବ୍ୟତୀତ ନାହିଁ ପାର

।।

ନାମକୁ ହୃଦେ କରି ଦୃଢ଼

ଯୋନି ମାର୍ଗରେ ହେ ନ ବୁଡ଼

।।

ଯୋନିକି ଭବଜଳ କହି

ତହିଁ ବୁଡ଼ିଲେ ସ୍ଥଳ ନାହିଁ

।।

କହଇ ବଳରାମ ଦାସ

ବିରାଟ ଗୀତା ମହାରସ

।।

ସୁଜନେ ଏହି ତତ୍ତ୍ଵ ଘେନ

ତତ୍ତ୍ଵ ଚିହ୍ନିଲେ ମହା ପୂଣ୍ୟ

।।

 

ଇତି ଶ୍ରୀ ବିରାଟଗୀତାୟାଂ ବ୍ରହ୍ମବିଦ୍ୟାୟାଂ ବୈୟାସିକ୍ୟାଂ

ହରି ଅର୍ଜ୍ଜୁନ ସମ୍ବାଦେ ନାମ ଦ୍ଵିତୀୟୋଽଧ୍ୟାୟଃ ।

Image

 

ତୃତୀୟ ଅଧ୍ୟାୟ

 

ଅର୍ଜ୍ଜୁନ ଉବାଚ

ପୁଣି ଅର୍ଜ୍ଜୁନ ପଚାରଇ

ସଂଶୟ ମନରେ ତ ପାଇ

।।

ହେ କୃଷ୍ଣ ଭକତ ଦୟାଳୁ

ଏମନ୍ତ ଆଜ୍ଞା କିମ୍ପା କଲୁ

।।

ବୋଇଲୁ ଯେ ନିମାର୍ଗେ ଗଲେ

ଅଳ୍ପ ଆୟୁଷ ହୋନ୍ତି ଭଲେ

।।

ଯେବେ ନ ଯିବା ଯୋନି ମାର୍ଗେ

ଜଗତ କେମନ୍ତେ ସୃଜିବେ

।।

ଚିତ୍ତେ ସଂଶୟ ମୋର କଲି

ଏ କଥା କହି ବନମାଳୀ

।।

ଶ୍ରୀ ଭଗବାନୁବାଚ

ଶୁଣ ଅର୍ଜ୍ଜୁନ ମନ ଦେଇ

ଗୁପତ ଜ୍ଞାନ ଏ ବୋଲାଇ

।।

ଯେଣୁ ତୁ ମୋହର ବିଶ୍ଵାସ

ତୋ ଆଗେ କରିବି ପ୍ରକାଶ

।।

ଆନକୁ ନ କହିବୁ ତୁହି

ମୋ ପାଦ ପଦ୍ମ ଥାଅ ଛୁଇଁ

।।

ଘଟରେ ଜଳ ପୂରି ଥାଇ

କିଞ୍ଚିତେ ଛିଦ୍ର ମାତ୍ର ହୋଇ

।।

ଶରୀର କୁମ୍ଭ ବୋଲି ଜାଣ

ବୀଜଟି ଜଳ ପରିମାଣ

।।

ଶରୀରୁ ଜଳ ଗଳିଯାଇ

ଶରୀର ନିର୍ବଳ ହୁଅଇ

।।

ଜଳ ବିହୀନେ ବ୍ୟାଧି ଗ୍ରାସେ

ବ୍ୟାଧି ଗ୍ରାସିଲେ ଆତ୍ମା ନାଶେ

।।

ଏମନ୍ତେ ହୁଅଇ ସେ କ୍ଷୟେ

ଏଣୁଟି ଅଳ୍ପ ବୁଦ୍ଧି କହେ

।।

ପୁଣି ଅର୍ଜ୍ଜୁନ ପଚାରଇ

ମୋ ଚିତ୍ତେ ସଂଶୟ ରହଇ

।।

ସ୍ତିରୀ ପୁରୁଷ ବେନି ହୋଇ

ସେ ପୁଣି ଜଗତ ସୁଜଇ

।।

ଏ କଥା ଯେବେ ନାସ୍ତି ହେବ

ସଂସାର କେମନ୍ତେ ହୋଇବ

।।

ଏ କଥା କହ ଦଇତ୍ୟାରି

ନମସ୍ତେ ମୁକୁନ୍ଦ ମୁରାରି

।।

ଶୁଣ ଅର୍ଜ୍ଜୁନ ତୋଷ ମନେ

ତୋତେ କହିବା ଗୁପ୍ତଜ୍ଞାନେ

।।

ଛପନ କୋଟି ଜୀବ ଯେତେ

ସର୍ଜନା ହୁଅନ୍ତି ଜଗତେ

।।

ପ୍ରତି ଦିନରେ ଯୁକ୍ତ ହେଲେ

ଏ ଜୀବ ନାଶ ଯାଇ ଭଲେ

।।

ଏଥିକି ପୁଣ ପ୍ରତିକାର

କହିବା ଶୁଣ ମହାବୀର

।।

ପତ୍ନୀର ପଦ୍ମ ଫୁଟିଥିବ

ସେ ଦିନ ବୀର୍ଯ୍ୟ ଦାନ ଦେବ

।।

ସେ ବୀର୍ଯ୍ୟ ପଡ଼ିଲେ ପଦ୍ମରେ

ମୁଦ୍ରିତ ହୁଅଇ ସତ୍ଵରେ

।।

ତହିଁରୁ ପୁରୁଷ ହୁଅଇ

ଏମନ୍ତେ ଜଗତ ସୃଜଇ

।।

ଏଥିରେ ଅଛି ପୁଣ ଭେଦ

କହିବା ଶୁଣ ତତ୍ତ୍ଵ ବୋଧ

।।

ପଦ୍ମ ମଧ୍ୟେ ଯେ ବିନ୍ଦୁ ପଡ଼େ

ପୁରୁଷ ରୂପକୁ ସେ ଧରେ

।।

ଯେବେ ପଡ଼ଇ ପାଖୁଡ଼ାରେ

ସ୍ତିରୀ ହୁଅଇ ତତକାଳେ

।।

ପାଖୁଡ଼ା ପଦ୍ମ ଦୁଇଠାରେ

ବୀର୍ଯ୍ୟ ପଡ଼ିଲେ ସେ କାଳରେ

।।

ତହିଁରୁ ବେନି ଜାତ ହୋଇ

ସ୍ତିରୀ ପୁରୁଷ ଯେ ବୋଲାଇ

।।

ଯେବେ ପଡ଼ଇ ପଦ୍ମେ ଏକ

ସେ ହୁଏ ବେଣୀ ଯେ ଫୋଟକ

।।

ବେନି ପୁରୁଷ ବୋଲି ଜାଣ

ନିର୍ଣ୍ଣୟ କହିଲି ଅର୍ଜ୍ଜୁନ

।।

ଯେତେକ ପୂରିକା ହୁଅଇ

ପବନ ଯେତେ ଭାଗ ହୋଇ

।।

ଏତେକ ମୂର୍ତ୍ତି ସେହି ଧରେ

ଦୁହିତା ହୁଏ ପାଖୁଡ଼ାରେ

।।

ଡାହାଣପୁଡ଼ା ବହୁଥିଲେ

ଏମନ୍ତ ବେଳେ ରତି କଲେ

।।

ସେ ବୀର୍ଯ୍ୟ ଅଗ୍ନି ଜଳିଯାଇ

ପଦ୍ମରେ ଆଉ ନ ରହଇ

।।

ବାମ ନାସିକା ବହୁଥିଲେ

ଏମନ୍ତ ବେଳେ ରତି କଲେ

।।

ସେ ବୀର୍ଯ୍ୟ ହୁଅଇ ପୁରୁଷ

ଅନ୍ୟ ବେଳରେ ଯାଇ ନାଶ

।।

ଅର୍ଜୁନ ବୋଲଇ ଗୋସାଇଁ

ସଂଶୟ ମଣିଲଇଁ ମୁହିଁ

।।

ବାମ ଡାହାଣ ନାସା ବାଇ

ଏଥିରେ ଭେଦ କହି ଫେଇ

।।

ଡାହାଣେ କିପାଁ ଜଳିଗଲା

ବାମରେ ସମ୍ଭୁତ ହୋଇଲା

।।

ଏ ଅର୍ଥ କହି ଭଗବାନ

ନମଇଁ ତୁମ୍ଭର ଚରଣ

।।

ଶ୍ରୀ ଭଗବାନୁବାଚ

ଅର୍ଜ୍ଜୁନ ବାକ୍ୟେ ଭଗବାନ

କହନ୍ତି ଫେଡ଼ି ଗୁପ୍ତ ଜ୍ଞାନ

।।

ଛପନ କୋଟି ଜୀବ ଯେତେ

କାମରେ ଜଡ଼ିତ ସମସ୍ତେ

।।

ଦିବସ ଷୋଳଘଡ଼ି ହୋଇ

ବତ୍ରିଶ ରାତ୍ରମିଶି ହୋଇ

।।

ପୁରୁଷ ଆବର ଯୁବତୀ

ସମସ୍ତେ ହୋନ୍ତି ରଜୋବତୀ

।।

ଘଡ଼ିକେ ନାମ ଯେ ଗୋଟିଏ

ଉଦୟଠାରୁ ଅସ୍ତ ଯାଏ

।।

ଷୋଳ ଘଡ଼ିରେ ଷୋଳକ୍ଷର

ବତ୍ରିଶ ମିଶି ରାତ୍ର ସାର

।।

ବତ୍ରିଶ ନାମ ଷୋଳାକ୍ଷର

ରାତ୍ର ଦିବସ ନାମ ସାର

।।

ଏକ ଘଡ଼ିବେ ଏକ ନାମ

ମହାମନ୍ତ୍ରଟି ଏହି ଜାଣ

।।

ରାଆ ଅକ୍ଷର ସ୍ତିରୀ କହି

ମଅଟି ପୁରୁଷ ଅଟଇ

।।

କୃ ଅକ୍ଷର ଟି ପୁଂସ ହେଲା

ଷ୍ଣଅ ଯେ ସ୍ତିରୀ ବୋଲାଇଲା

।।

ହ କ୍ଷର ସ୍ତିରୀ ବୋଲି କହି

ରେ କ୍ଷର ପୁରୁଷ ବୋଲାଇ

।।

ପୁରୁଷ ଆବର ଯୁବତୀ

ସମସ୍ତେ ହୋନ୍ତି ରଜୋବତୀ

।।

ଚତୁର୍ଥ ବେଳ ଦିବସର

ଚତୁର୍ଥ ବେଳେ ଯେ ରାତ୍ରର

।।

ଏମନ୍ତ ଅଷ୍ଟ ବେଳ ଯାଏ

ଏ ଜୀବ ରଜୋବତୀ ହୁଏ

।।

ସ୍ଥାବର କୀଟ ଯେ ପତଙ୍ଗ

ଏମନ୍ତ ବେଳେ ହୋନ୍ତି ଯୋଗ

।।

ବାମ ନାସିକା ଯେବେ ବହି

ରଜୋବତୀ ସେ ବୋଲି କହି

।।

ଏଥି କାରଣ ବୁଝି ଯେବେ

ରତି କରନ୍ତି ସମଭାବେ

।।

ଯେ ଦିନେ ପଦ୍ମ ଫୁଟିଥିବ

ତାହା ବୁଝିଣ ଯୁଗ୍ମ ହେବ

।।

ଏ ଭାବେ ରତି କଲେ ଯେବେ

ବୃକ୍ଷ ଅଙ୍କୁରି ଉଠେ ତେବେ

।।

ଅନ୍ୟ ଦିଗରେ ନାଶ ଯାଇ

ଏଣୁ ଅଳ୍ପ ଆୟୁଷ ହୋଇ

।।

ଅର୍ଜ୍ଜୁନ ବୋଇଲେ ଗୋସାଇଁ

ମନ ମୋ ଭାନ୍ତି ଫିଟୁ ନାହିଁ

।।

ଏମନ୍ତ ଭାବେ ଯେତେ କଲେ

ଆୟୁଷ ବୃଦ୍ଧି ହୁଏ ଭଲେ

।।

ଭୋଜନ ପାନେ କାର୍ଯ୍ୟ ନାହିଁ

ସ୍ନାନ ଭୋଜନେ ଭେଦ କାହିଁ

।।

ସ୍ନାନ ମାର୍ଜନେ ଭେଦାଭେଦ

ଏକଥା କହି ହେ ଗୋବିନ୍ଦ

।।

ଶ୍ରୀ ଭଗବାନୁବାଚ

ଅର୍ଜ୍ଜୁନ ବାକ୍ୟ ଶୁଣି କର୍ଣ୍ଣେ

କହନ୍ତି କୋମଳ ବଚନେ

।।

ସାତ ବାରିଣୀ କହିଦେବା

ତୋ ମନୁ ସଂଶୟ ଫେଡ଼ିବା

।।

ରବିବାରରେ ସ୍ନାନ କର

ସୋମରେ ସ୍ନାନ ଯେ ନ କର

।।

ମଙ୍ଗଳବାରେ ସ୍ନାନ କର

ବୁଧରେ ସ୍ନାନ ପରିହର

।।

ବୃହସ୍ପତିରେ କର ସ୍ନାନ

ଶୁତ୍ରରେ ତା କର ବର୍ଜ୍ଜନ

।।

ଶନିରେ କର ନାସ୍ତି ଜଳ

ଶରୀରେ ନ ପଶିବ କାଳ

।।

ବାମ ନାସିକା ବହୁଥିବ

ସ୍ନାନ ଭୋଜନ ନ କରିବ

।।

ଡାହାଣ ପୁଡ଼ା ବହୁଥିଲେ

ସ୍ନାନ ଭୋଜନ ତେତେବେଳେ

।।

ଶୟନ ମାର୍ଗ କହିଦେବା

ତୋ ମନୁ ସଂଶୟ ଫେଡ଼ିବା

।।

ଆଦ୍ୟ ନିଶିରେ ନ ଶୋଇବ

ମଧ୍ୟ ପ୍ରାନ୍ତରେ ଜାଗିଥିବ

।।

ଏମନ୍ତ ଶୟନ ଭୋଜନ

ଏ ଭାବେ ରତି କରି ପୁଣ

।।

ଗୃହୀ ସ୍ଵଭାବ ଧର୍ମ ଏହି

ଏ ମାର୍ଗେ ଚଳ ବୀର ତୁହି

।।

ଏ ଭାବେ ଥିଲେ ହେ ଅର୍ଜ୍ଜୁନ

କାଳକୁ ଭୟ ନାହିଁ ପୁଣ

।।

ଭଣିଲେ ବଳରାମ ଦାସ

ସୁଜନେ ଏହି ଭାବେ ରସ

।।

 

ଇତି ଶ୍ରୀ ବିରାଟଗୀତାୟାଂ ବୈୟାସିକ୍ୟାଂ ପରମହଂସ୍ୟା ସଂହିତାୟାଂ

ଶ୍ରୀ ହରି ଅର୍ଜ୍ଜୁନ ଗୁପ୍ତଜ୍ଞାନ କଥନେ ନାମ ତୃତୀୟୋଽଧ୍ୟାୟଃ ।

Image

 

ଚତୁର୍ଥ ଅଧ୍ୟାୟ

 

ଅର୍ଜ୍ଜୁନ ଉବାଚ

ଅର୍ଜ୍ଜୁନ ବିନୟ ଭାବରେ

ପଡ଼ଇ ଗୋବିନ୍ଦ ପୟରେ

।।

ହେ ବିଶ୍ଵେଶ୍ଵର ନାରାୟଣ

ଅନାଦି ପରମ କାରଣ

।।

କଥା ଏ ପଡ଼ିଲା ମୋ ମନେ

କହିବା ହେଉ ଦିବ୍ୟଜ୍ଞାନେ

।।

ବଡ଼ ଦେଉଳ କେ ଅଟଇ

କାହାକୁ ନୀଳଚକ୍ର କହି

।।

ତିନିମୂର୍ତ୍ତି ଯେ ତହିଁଛନ୍ତି

କେ କେଉଁଠାରେ ଯଦୁପତି

।।

ଅଠର ନଳା କା’କୁ କହି

ବଡ଼ ଦାଣ୍ଡଟି କେ ବୋଲାଇ

।।

ଜଗମୋହନ ଘର କେହୁ

କହିବା ହେଉ ମହାବାହୁ

।।

ମଣୋହି ସ୍ଥାନ ଯେ ଅଟଇ

ରୋଷାଇଶାଳ କେ ବୋଲାଇ

।।

କାହାକୁ କହି ସିଂହାସନ

ଚନ୍ଦନ ଅର୍ଗଳି କେ ପୁଣ

।।

କାହାକୁ ସିଂହଦ୍ଵାର କହି

ଶ୍ରୀ ନନ୍ଦିଘୋଷ କେ ବୋଲାଇ

।।

ଷୋଳ ଚକଟି କେହୁ ପୁଣ

ଚାରି ଦେବଙ୍କ କେଉଁ ସ୍ଥାନ

।।

ତୁଳସୀ ଚଉରାରେ ପୁଣ

ଚାରି ଦେବଙ୍କ କେଉଁ ସ୍ଥାନ

।।

କାହାକୁ କହି ଚାରିବଟ

କେବଣ ଠାରେ ଚାରି ମଠ

।।

ପାତାଳ ବୋଲାଏ କେ ପୁଣି

କାହାକୁ ମର୍ତ୍ତ୍ୟ ବୋଲି ଜାଣି

।।

ସ୍ଵର୍ଗ ବୋଲିଣ ତାକୁ କହି

ଏ କଥା କହି ଭାବଗ୍ରାହୀ

।।

କାହାକୁ କହି ଯାଜପୁର

ବ୍ରହ୍ମାର କେବଣ ନଗର

।।

କପିଳାସଟି କେ ବୋଲାଇ

ବୈକୁଣ୍ଠପୁର କା’କୁ କହି

।।

କାହାକୁ ବୋଲି ଗୋଲାହାଟ

କେଉଁଠାରେ କଳାରାୟଟ

।।

କାଉଁରୀ ପାଟଣାଟି କେହୁ

ଏ କଥା କହ ମହାବାହୁ

।।

ସାତବାରଙ୍କ ସ୍ଥାନ କାହିଁ

ଚନ୍ଦ୍ର ସୂର୍ଯ୍ୟଟି କେ ବୋଲାଇ

।।

ପୂର୍ବ ଦିଗଟି କେହୁ ପୁଣ

ପଶ୍ଚିମ କେହୁ ଯେ ପ୍ରମାଣ

।।

ଦକ୍ଷିଣ ଦିଗ କେ ହୋଇଲା

ଉତ୍ତର କେହୁ ବୋଲାଇଲା

।।

ଏବେ ହୋ ଚାରିମେଘ କାହିଁ

ଆଜ୍ଞା କର ହେ ଭାବଗ୍ରାହୀ

।।

ଦିବସ କାହାକୁଟି କହି

ରାତ୍ର ବୋଲିଣ କେ ଅଟଇ

।।

ଗଙ୍ଗା ଯମୁନା ନଦୀ କାହିଁ

ତ୍ରିବେଣୀ କେହୁ ଯେ ବୋଲାଇ

।।

ନିର୍ଣ୍ଣୟ କରି କହ ଫେଇ

ଶୁଣିଲେ ନିସ୍ତରିବି ମୁହିଁ

।।

ଶ୍ରୀ ଭଗବାନୁବାଚ

ଅର୍ଜ୍ଜୁନ ବାକ୍ୟେ ଚକ୍ରଧର

ବୋଲନ୍ତି ଶୁଣ ଭକ୍ତ ସାର

।।

ବଡ଼ ଦେଉଳ ବୋଲି ଯାହା

ନିଶ୍ଚୟ ଏ ତୋହର କାୟା

।।

ନନ୍ଦି ଘୋଷଟି ଯାହା କହି

ଅର୍ଜ୍ଜୁନ ଏ ତୋହର ଦେହୀ

।।

ଆଣ୍ଠୁରୁ କଟିଯାଏ ପୁଣ

ଏ ତିନି ଚକ୍ର ହୋ ଅର୍ଜ୍ଜୁନ

।।

ନାଭି ହୃଦୟ କଣ୍ଠ ଘେନି

ଏ ତିନି ଅଟଇ ଯେ ପୁଣି

।।

ହସ୍ତ ଅଙ୍ଗୁଷ୍ଠି ଖୁଆ ଯାଏ

ଏ ପୁଣି ଅଷ୍ଟ ଚକ୍ର ହୁଏ

।।

ଆବର ଚକଟି କପାଳ

ଏମନ୍ତ ହୋଇଲା ଏ ଷୋଳ

।।

ଷୋଳ ଚକଟି ଏ ପ୍ରମାଣ

ତୋ ଆଗେ କହିଲି ଅର୍ଜ୍ଜୁନ

।।

ବଡ଼ଦାଣ୍ଡଟି ଯାହା କହି

ଅର୍ଜ୍ଜୁନ ତୋର ମୁଖ ସେହି

।।

ବାଇଶ ପାବଚ୍ଛଟି ପୁଣ

କଣ୍ଠ ତଳକୁ ହେ ଅର୍ଜ୍ଜୁନ

।।

ଅଠର ନଳା ଯାହା କହି

ତୋହରି ଗଳା ସେ ଅଟଇ

।।

ତୁଳସୀ ଚଉରା ଯେ ପୁଣ

କଣ୍ଠ ତଳକୁ ହୋ ଅର୍ଜ୍ଜୁନ

।।

ଗୃହ୍ୟକୁ ଯାଜପୁର କହି

ନାଭିଟି ବ୍ରହ୍ମପୁର ହୋଇ

।।

ହୃଦୟ ଅଟେ ବିଷ୍ଣୁପୁର

କଣ୍ଠ କପିଳାସ କନ୍ଦର

।।

ବୈକୁଣ୍ଠପୁର ମୁଖ ହୋଇ

ତାଳୁକୁ ସ୍ଵର୍ଗଦ୍ଵାର କହି

।।

ତାଳୁକୁ କହି ନେତ୍ର ବାନା

କପୋଳ କାଉଁରୀ ପାଟଣା

।।

କପୋଳ ଉପରଟି ଯେହୁ

ଗୋଲାହାଟଟି ବୁଝ ସେହୁ

।।

ନାସିକା ବେନି ପୁଡ଼ା ଯେହି

ବେନି ଆଲଟ ବୋଲି କହି

।।

ତିନି ଅକ୍ଷର ତିନି ମୂର୍ତ୍ତି

ତୋହର ଚକ୍ଷୁରେ ଅଛନ୍ତି

।।

ଗରୁଡ଼ ସ୍ତମ୍ଭ ମନ ହୋଇ

ମଣୋହି କୋଠା ନସା କହି

।।

ତାଳୁକୁ ପୂର୍ବଦିଗ କହି

ନାସାଟି ପଶ୍ଚିମ ଅଟଇ

।।

ବାମକର୍ଣ୍ଣ ଉତ୍ତର ଜାଣ

ଡାହାଣ କର୍ଣ୍ଣ ଯେ ଦକ୍ଷିଣ

।।

ଚାରି ମଠଙ୍କ ନାମ ଶୁଣ

ଚତୁର୍ଥ ମଠ ମୁଖ ପୁଣ

।।

ଏମନ୍ତେ ହେଲା ମଠ ଚାରି

ତୋ ଆଗେ କହିଲି ବିସ୍ତାରି

।।

ଚାରି ମେଘଙ୍କ ସ୍ଥାନମାନ

ତୋ ଆଗେ କହିବା ଅର୍ଜୁନ

।।

ଆବର୍ତ୍ତ ମେଘ ତାଳୁ କହି

ଚକ୍ଷୁଟି ସମ୍ଵର୍ତ୍ତ ବୋଲାଇ

।।

ପୁଷ୍କର ନାସା ତୋ ପ୍ରମାଣ

ମୁଖ ତୋ ଅଟେ ଦ୍ରୋଣ ଜାଣ

।।

ଏହାକୁ ଚାରି ମେଘ କହି

ଶୁଣ ଅର୍ଜ୍ଜୁନ ମନ ଦେଇ

।।

କହିବା ଏବେ ଚାରି ବଟ

ଶୁଣ ତୁ ଯୁଧିଷ୍ଠି କନିଷ୍ଠ

।।

ତାଳୁକୁ କହି କଳ୍ପବଟ

ବାଞ୍ଚାବଟଟି ଚକ୍ଷୁ ଶ୍ରେଷ୍ଠ

।।

ଦେବ ନାଶନ ବଟ ନାସା

ବଂଶୀବଟର ମୁଖ ବସା

।।

ଏମନ୍ତେ ଚାରିବଟ ହେଲା

ଶୁଣ ତୁ କୁନ୍ତୀଦେବୀ ବଳା

।।

ସାତବାରଙ୍କ ସ୍ଥାନମାନ

ଫେଡ଼ି କହିବା ହୋ ଅର୍ଜ୍ଜୁନ

।।

ଡାହାଣ ନାସା ରବିବାର

ବାମ ନାସିକା ସୋମବାର

।।

ମଙ୍ଗଳ ଡାହାଣଟି ଚକ୍ଷୁ

ବୁଧବାର ଯେ ବାମଚକ୍ଷୁ

।।

ବାମ କର୍ଣ୍ଣଟି ଶୁକ୍ରବାର

ଡାହାଣ କର୍ଣ୍ଣ ଶନିବାର

।।

ଗୁରୁବାରଟି ଜିହ୍ନା କହି

ଏମନ୍ତେ ସାତବାର ଏହି

।।

ଗଙ୍ଗା ଯମୁନା ନଦୀ ଦୁଇ

ତ୍ରିବେଣୀ ଆଦି ଦେବା କହି

।।

ଯମୁନା ବାମନାସା ବାୟି

ଦକ୍ଷିଣ ପୁଡ଼ା ଗଙ୍ଗା ହୋଇ

।।

ଏଥି ମଧ୍ୟରେ ସରସ୍ଵତୀ

ଏମନ୍ତେ ତ୍ରୟନଦୀ ସ୍ଥିତି

।।

ଚାରି ବେଦହିଁ କହିଦେବା

ତୋ ମନୁ ସଂଶୟ ଫେଡ଼ିବା

।।

ମୁଖ ଯେ ଋକଦେବ ସ୍ଥାନ

ନାସାଟି ସାମବେଦ ଜାଣ

।।

ଚକ୍ଷୁରେ ଯଜୁ ର୍ବେଦ ବସେ

ଅର୍ଥବ ବେଦ କର୍ଣ୍ଣ ଦେଶେ

।।

ଶିଶୁ ବେଦଟି ଶୂନ୍ୟେ ଥାଇ

ଏମନ୍ତେ ପାଞ୍ଚ ବେଦ କହି

।।

ବ୍ରହ୍ମାଣ୍ଡ ଯେତେ ବିଧିମତ

ପିଣ୍ଡରେ ଅଛନ୍ତି ସମସ୍ତ

।।

ପିଣ୍ଡ ବ୍ରହ୍ମାଣ୍ଡ ଏକ ମତ

ତୋ ଆଗେ କହିଦେଲି ତତ୍ତ୍ଵ

।।

ବ୍ରହ୍ମାଣ୍ଡେ ବୁଡ଼ିଣ ନ ମର

ଏ ପିଣ୍ଡେ ସର୍ବ ହେତୁ କର

।।

ବିରାଟ ଗୀତାମାନ କହି

ଗୁପତ ବ୍ରହ୍ମଜ୍ଞାନ ଏହି

।।

କହଇ ବଳରାମ ଦାସ

ସୁଜନ ପାଦେ ମୋର ଆଶ

।।

 

ଇତି ଶ୍ରୀ ବିରାଟଗୀତାୟାଂ ବୈୟାସିକ୍ୟାଂ ପରମହଂସ୍ୟା ସଂହିତାୟାଂ ଶ୍ରୀ ହରି-

ଅର୍ଜ୍ଜୁନ ସମ୍ଵାଦେ ପିଣ୍ଡବ୍ରହ୍ମଜ୍ଞାନ କଥନେ ନାମ ଚତୁର୍ଥୋଽଧ୍ୟାୟଃ ।

Image

 

ପଞ୍ଚମ ଅଧ୍ୟାୟ

 

ଅର୍ଜ୍ଜୁନ ଉବାଚ

ଅର୍ଜ୍ଜୁନ ବୋଲଇ ଗୋସାଇଁ

ଅକ୍ଷର ଭେଦ ଦିଅ କହି

।।

ଅକ୍ଷରମାନଙ୍କର ଭେଦ

ଫେଡ଼ି କହିବ ହେ ଗୋବିନ୍ଦ

।।

ପ୍ରଥମେ ହେଲା କେତେ କ୍ଷର

ତତ୍ତ୍ଵ ହୋଇଲା କେତେ କ୍ଷର

।।

ତହିଁ ଉତ୍ତାରୁ କେ ହୋଇଛି

ଫେଡ଼ି କହିବ ହେ ଶ୍ରୀବତ୍ସି

।।

ଅକ୍ଷର ଭେଦ କହି ଦେବ

ମୋ ମନୁ ସଂଶୟ ଫେଡ଼ିବ

।।

ଶ୍ରୀ ଭଗବାନୁବାଚ

ଅର୍ଜ୍ଜୁନ ବାକ୍ୟେ ଭଗବାନ

ବୋଲନ୍ତି ଶୁଣ ହେ ଅର୍ଜ୍ଜୁନ

।।

ଶିରରୁ କ୍ଷରୁଛି ଜଗତ

ଚୌବନ ଅକ୍ଷର ଯେ ଯୁକ୍ତ

।।

କହିବା ଚୌବନ ଶବଦ

ମନରେ ନ କର ବିଷାଦ

।।

ସିଇ ଶବଦଟି ଶୂନ୍ୟ ହିଁ

ଦ୍ଧି ଶବଦଟି ଧୀରେ କହି

।।

ରଅ ଶବଦ ନିତ୍ୟେ ଅଛି

ସ୍ତୁଉ ଶବଦ ନେଉଅଛି

।।

ଅଣ ଶବଦ ନିତ୍ୟେ ଅଛି

ଆ ଆ ଶବଦ ଆସୁଅଛି

।।

ଇ ଶବଦଟି ଘରେ ସାର

ଈଟି ଯେ ଅଟଇ ଈଶ୍ଵର

।।

ଉଊ ଶବଦ ଉଇଁ ଅଛି

ଉଲଟ ଶବଦ ବହୁଛି

।।

ଋଣ ଶବଦ ଏକ ବ୍ରହ୍ମ

ଋଉ ଶବଦ ମହାଶୂନ୍ୟ

।।

ଉ ଶବଦୁଁ ଏ ସମ୍ଭୁତ

ଉ ଶବଦୁଁ ସର୍ବଜାତ

।।

ଏ ଶବଦଟି କରୁଅଛି

ଐ ଶବଦଟି ଖଟିଅଛି

।।

ଓ ଶବଦୁଁ ଏ ଓଁ କାରହିଁ

ଔ ଶବଦୁଁ ଯେ କ୍ଷୟ ହୋଇ

।।

ଅଂ ଶବ୍ଦ ଯେ ଚଳୁଅଛି

ଅଃ ଶବଦୁଁଟି ଘୋଟିଅଛି

।।

କଅ ଶବଦ କରୁଅଛି

ଖଅ ଶବଦ ଖାଉଅଛି

।।

କଅ ଶବଦୁଁ ଏ ଓଁ କାର

ଘଅ ଶବଦୁଁ ଘୋରୁ ପାର

।।

ଙଅ ଶବଦ ଉଇଁ ଅଛି

ଚଅ ଶବଦ ଚଳୁଅଛି

।।

ଛଅରୁ କ୍ଷରନ୍ତି ଜଗତ

ଜଅ ଶବଦୁ ଏ ସମ୍ଭୂତ

।।

ଝଅ ଶବଦୁଁ ଝରୁଅଛି

(ଞ) ଶବଦ ନିତ୍ୟେ ଅଛି

।।

ଝଅ ଶବଦ ଟଳୁଅଛି

ଠଅ ଶବଦ ଠୁଳେ ଅଛି

।।

ଡଅ ଶବଦ ଡାକୁଅଛି

ଢଅ ଶବଦୁ ଢଳୁଅଛି

।।

ଣଅ ଶବଦ ମହାଶୂନ୍ୟ

ତଅ ଶବଦୁଁ ତତ୍ତ୍ଵ ଜ୍ଞାନ

।।

ଥଅ ଶବଦ ସ୍ଥିତି ଅଛି

ଦଅ ଶବଦ ଦହୁଅଛି

।।

ଧଅ ଶବଦ ଧୀରେ କହି

ନଅ ଶବଦ ଲୀନ ହୋଇ

।।

ପଅ ଶବଦ ପୁରୁଅଛି

ଫଅ ଶବଦ ଫେରୁଅଛି

।।

ବଅ ଶବଦ ଶୂନ୍ୟେ ବାଜେ

ଭଅ ଶବଦ ଶୂନ୍ୟେ ଭଜେ

।।

ମଅ ଶବଦ ପୁରୁଅଛି

ଯଅ ଶବଦ ଜାଣୁଅଛି

।।

ରଅ ଶବଦ ରହିଥିବ

ଲଅ ଶବଦ ଲଗାଇବ

।।

ବଅ ଶବଦ ବାମେ ଛନ୍ତି

ଶଅ ଶବଦ ଶୂନ୍ୟେ ସ୍ଥିତି

।।

ଷଅ ଶବଦ ଏ ଶରୀର

ସଅ ଶବଦୁଁ ଚରାଚର

।।

ହଅ ଶବଦ ହରୁଅଛି

କ୍ଷଅ ଶବଦ କ୍ଷରୁଅଛି

।।

ଏମନ୍ତେ ଚୌବନ ଶବଦ

ଶୁଣ ଅର୍ଜ୍ଜୁନ ତତ୍ତ୍ଵ ଭେଦ

।।

ଏ ଜ୍ଞାନ ଗୁପତ ଅଟଇ

କାହାକୁ ନ କହିବୁ ଫେଇ

।।

ଶୁଣି ଅର୍ଜ୍ଜୁନ ତୋଷମନ

ଶ୍ରୀକୃଷ୍ଣ ପାଦେ କଲା ଧ୍ୟାନ

।।

ଅର୍ଜ୍ଜୁନ ଉବାଚ

ଆନନ୍ଦେ ପାଦତଳେ ପଡ଼ି

ପୁଣି ପଚାରେ କରଯୋଡ଼ି

।।

ଆଦ୍ୟରେ କେଉଁ କ୍ଷର ଥିଲା

ଏତେ ଅକ୍ଷର କାହୁଁ ହେଲା

।।

ଏ କଥା କହ ନାରାୟଣ

ନମଇଁ ତୁମର ଚରଣ

।।

ଶ୍ରୀ ଭଗବାନୁବାଚ

ଅର୍ଜ୍ଜୁନ ବାକ୍ୟେ ଭଗବାନ

କହନ୍ତି ଶୁଣ ତତ୍ତ୍ଵ ଜ୍ଞାନ

।।

ଯେ କାଳେ ନ ଥିଲା ମଣ୍ଡଳ

ନ ଥିଲେ ଚନ୍ଦ୍ର ହିଁ ଭାସ୍କର

।।

ସେ କାଳେ ମହାଶୂନ୍ୟେ ରହି

ବିରାଟ ରୁପ ଥିଲି ମୁହିଁ

।।

କେହି ନ ଥିଲେ ହୋ ଅର୍ଜୁନ

ବ୍ରହ୍ମାଣ୍ଡ ଦିଶେ ମହାଶୂନ୍ୟ

।।

ଶୁଣି ଅର୍ଜ୍ଜୁନ ତତ୍ତ୍ଵ ଜ୍ଞାନ

ତୁ ମୋର ଅଟୁ ପଞ୍ଚପ୍ରାଣ

।।

ମହାଶୂନ୍ୟରୁ ଶୂନ୍ୟ ହେଲା

ସେ ଶୂନ୍ୟ ଅର୍ଦ୍ଧମାତ୍ରା ହେଲା

।।

ଅର୍ଦ୍ଧମାତ୍ରାରୁ ସେ ଓଁ କାର

ଓଁ କାରୁ ତ୍ରିବୀଜ ବାହାର

।।

ଏ ଷଡ଼ାକ୍ଷରୁ ହ କ୍ଷ ସାର

ତ୍ରି କ୍ଷରୁ ନାମ ଷଡ଼କ୍ଷର

।।

ଏ ଷଡ଼ାକ୍ଷରୁ ଚାରିବେଦ

ସିଦ୍ଧିରସ୍ତୁ ଯେ ଚାରି ଭେଦ

।।

ଧିଇରୁ ଷୋଳକ୍ଷର ହେଲା

ଅଆଦି ନାମ ବୋଲାଇଲା

।।

ଆଆଦି ଅକ୍ଷରରୁ ଜାତ

କଖଗଘ ଯେ ଏ ସମ୍ଭୂତ

।।

ଏ ବାରକ୍ଷରୁ ଦଶ ହେଲା

ଡଢଣ ତଥ ବୋଲାଇଲା

।।

ଏ ଦଶାକ୍ଷରୁ ଷଡ଼ ଜାତ

ବଭମ ଏ ଷଡ଼ ସମ୍ଭୂତ

।।

ଷଡ଼ରୁ ଚାରିକ୍ଷର ହେଲା

ବଶ୍ରୀଅ ନାମ ବୋଲାଇଲା

।।

ଏମନ୍ତ ଚୌବନ ଅକ୍ଷର

ଜାତ ହୋଇଲା ମହାବୀର

।।

ତୋ ଠାରେ ମୋର ମାୟା ନାହିଁ

ତୁ ଜୀବ ମୁଁ ପରମ ହୋଇ

।।

ସାକ୍ଷାତେ ପରବ୍ରହ୍ମଂ ହୋଇ

ଏ ମୋର ବିନୁ ଅନ୍ୟ ନାହିଁ

।।

ମୋଠାରେ ତିନିମୂର୍ତ୍ତି ଜାତ

ତିନି ମୂର୍ତ୍ତିରୁ ବେଦ ତତ୍ତ୍ଵ

।।

ବେଦରୁ ହୋଇଲା ଅକ୍ଷର

ଶୁଣ ଅର୍ଜ୍ଜୁନ ଗୀତାସାର

।।

ଅକ୍ଷର ଛନ୍ଦିଛି ସଂସାର

ବେଦଟି ଅକ୍ଷରୁଁ ବାହାର

।।

ଶୁଣି ଅର୍ଜ୍ଜୁନ ହେଲା ତୋଷ

ପାଇଲା ଜ୍ଞାନ ତତ୍ତ୍ଵରସ

।।

ଭଣିଲେ ବଳରାମ ଦାସ

ମୋତେ ରଖିବେ ପୀତବାସ

।।

 

ଇତି ଶ୍ରୀ ବିରାଟଗୀତାୟାଂ ବୈୟାସିକ୍ୟାଂ ପରମହଂସ୍ୟା ସଂହିତାୟାଂ

ଶ୍ରୀ ହରି ଅର୍ଜ୍ଜୁନ ସମ୍ବାଦେ ବ୍ରହ୍ମବେଦାଦି କଥନେ ନାମ ପଞ୍ଚମୋଽଧ୍ୟାୟଃ ।

Image

 

Unknown

ଷଷ୍ଠ ଅଧ୍ୟାୟ

 

ଅର୍ଜ୍ଜୁନ ଉବାଚ

ଅର୍ଜ୍ଜୁନ ହୃଦୟ ବିକଳେ

ପଡ଼ଇ କୃଷ୍ଣ ପାଦତଳେ

।।

ଆହେ ଗୋବିନ୍ଦ ଭଗବାନ

ସଂଶୟ କର ବିମୋଚନ

।।

ପଞ୍ଚ ତତ୍ତ୍ଵର ଭେଦାଭେଦ

ମୋତେ ନ କହିଲେ ଗୋବିନ୍ଦ

।।

ପଞ୍ଚ ତତ୍ତ୍ଵ କେ କେ ବୋଲାଇ

ମୋତେ ତା କହ ଭାବଗ୍ରାହୀ

।।

ଭୋ ସ୍ଵାମୀ କହି ମୋ ଆଗର

ନମଇଁ ଚରଣେ ତୁମ୍ଭର

।।

ଅର୍ଜ୍ଜୁନ ପାଦତଳେ ପଡ଼ି

ବିନୟ ଭାବେ କରଯୋଡ଼ି

।।

ଏ ସର୍ବ କାହିଁ ରେ ଅଛନ୍ତି

ଶୁଣିଲେ ଫିଟୁ ମନୋଭ୍ରାନ୍ତି

।।

ଯନ୍ତ୍ର କାଟିଣ ବସାଇବ

ଏ ପ୍ରତି ଅଙ୍ଗେ କହିଦେବ

।।

ଶ୍ରୀ ଭଗବାନୁବାଚ

ଅର୍ଜ୍ଜୁନ ବାକ୍ୟେ ଚକ୍ରଧର

କହନ୍ତି ଯନ୍ତ୍ର ଭେଦ ସାର

।।

ଅର୍ଜ୍ଜୁନ ଶୁଣ ଏହୁ କଥା

ମୁନିଏ ନ ଜାଣନ୍ତି ଯଥା

।।

ତୋତେ ମୁଁ କହୁଅଛି ଫେଇ

କେବଳ ନ କହିବୁ କାହିଁ

।।

ଅନନ୍ତ ଯନ୍ତ୍ର ଏହା ନାମ

ଏ ନିତ୍ୟ ଫୁକାବନ୍ଧ ଧାମ

।।

ମୋତେ ପଚାରିଲୁ ଅର୍ଜ୍ଜୁନ

ଏ ନିତ୍ୟେ ସର୍ବେ ଛନ୍ତି ପୁଣ

।।

ଯେତେକ ପଚାରିଲୁ ତୁହି

ସକଳ ଦେବା ତୋତେ କହି

।।

ଦେହକୁ ପୃଥ୍ଵୀ ବୋଲି କହି

ଆପେ ବୋଲନ୍ତି ଜଳ ସେହି

।।

ଅଗ୍ନିକି ତେଜ ବୋଲି କହି

ପବନ ନାସାରେ ବସଇ

।।

ଆକାଶ ତାଳୁକା ଦୁଆର

ଶୁଣ ଅର୍ଜ୍ଜୁନ ମହାବୀର

।।

ପୃଥ୍ଵୀର ସ୍ଥାନ ଇନ୍ଦ୍ରିଦ୍ଵାର

ଆବର ସ୍ଥାନ ନୟନର

।।

ତେଜର ସ୍ଥାନ ଚକ୍ଷୁ ଦ୍ଵାର

ନାଭିରେ ପବନର ଘର

।।

ଡାହାଣ ନାସା ସୂର୍ଯ୍ୟ ଜ୍ୟୋତି

ବାମ ନାସିକା ଚନ୍ଦ୍ର କାନ୍ତି

।।

ବେନି ଚକ୍ଷୁକୁ ତାରା କହି

ଧ୍ରୁବଚକ୍ରଟି ସେ ବୋଲାଇ

।।

ସ୍ୱଧମୀ ସଭାଟି କର୍ଣ୍ଣରେ

ତପୀ ସଭାଟି ଲଲାଟରେ

।।

ଶରୀରେ ବାସ୍ତରୀ ଯେ ନାଡ଼ି

ଅଷ୍ଟାଙ୍ଗ ଶରୀରକୁ ଭିଡ଼

।।

ବେନିଚକ୍ଷୁଙ୍କ ମଧ୍ୟେ ସ୍ଥାନ

ତ୍ରିକୁଟ ବୋଲି ତାର ନାମ

।।

ଦନ୍ତ ସନ୍ଧିରେ ସୁଷୂମୁନା

ଗୁପତ ଧାରା ସେହୁ ସିନା

।।

ମୃଣାଳ ନାସା ବାୟୁ କହି

କପୋଳ ବଙ୍କୁନାଳ ହୋଇ

।।

କାଳଟି ଚକ୍ଷୁରେ ବସଇ

ସ୍ଵପନ କଣ୍ଠରେ ଦେଖଇ

।।

ମନର ଶୂନ୍ୟରେଟି ଘର

ଜ୍ଞାନ ବସଇ ଚକ୍ଷୁ ଦ୍ଵାର

।।

ଧ୍ୟାନଟି ନାସା ଅଗ୍ରେ ଥାଇ

ତତ୍ତ୍ଵ ଯେ ତାଳୁରେ ବସଇ

।।

ଚେତନା ଇନ୍ଦ୍ରିରେ ବସଇ

ଚୈତନ୍ୟ କଣ୍ଠତଳେ ଥାଇ

।।

ତ୍ରିକୂଟ ହେତୁରେ ଯେ ସ୍ଥାନ

ତ୍ରିକୂଟ ପରେ ସତ୍ତ୍ଵ ଜାଣ

।।

ନାଦ ଯେ ନାଭିରେ ବସଇ

ବିନ୍ଦୁଟି ନାସା ଅଗ୍ରେ ଥାଇ

।।

ନାମର ଧ୍ଵନି ଚକ୍ଷୁ ସ୍ଥାନ

ଚକ୍ଷୁ ଉପରେ ଜ୍ୟୋତି ଜାଣ

।।

ଜ୍ୟୋତି ସମ୍ଭାଇ ତାଳୁ ଦ୍ଵାରେ

ନିଶବଦଟି ସେହିଠାରେ

।।

ସ୍ଵପନ କଣ୍ଠରେ ବସଇ

ବିନ୍ଦୁର ଘର ତାଳୁ କହି

।।

ଦେବତା ସଭା ହୃଦୟରେ

ଇନ୍ଦ୍ରଙ୍କ ସଭା କଣ୍ଠଦ୍ଵାରେ

।।

ବ୍ରହ୍ମାଙ୍କ ସଭା ନାଭି ସ୍ଥାନ

ଇନ୍ଦ୍ରଙ୍କ ସଭା ଇନ୍ଦ୍ର ଜାଣ

।।

ବିଷ୍ଣୁ ଗଣଙ୍କ ସଭା ଚକ୍ଷୁ

ପୁଣ ଅର୍ଜୁନ କେତେ ପୁଚ୍ଛୁ

।।

ଏ ଦଶଦ୍ଵାର ଦଶଦିଗ

ଶୁଣ ଅର୍ଜ୍ଜୁନ ବ୍ରହ୍ମଭାଗ

।।

ଚଉଦ ବ୍ରହ୍ମାଣ୍ଡ କହିବା

ତୋ ମନୁ ସଂଶୟ ଫେଡ଼ିବା

।।

ବ୍ରହ୍ମାଣ୍ଡ ହାଣ୍ଡି ତାଳୁ କହି

ବେନି ବ୍ରହ୍ମାଣ୍ଡ କର୍ଣ୍ଣ କହି

।।

ବେନି ଚକ୍ଷୁ ବେନି ବ୍ରହ୍ମାଣ୍ଡ

ବେନି ନାସା ବେନି ବ୍ରହ୍ମାଣ୍ଡ

।।

ମୁଖରେ ବେନି ଯେ ବ୍ରହ୍ମାଣ୍ଡ

କଣ୍ଠରେ ଏକଇ ବ୍ରହ୍ମାଣ୍ଡ

।।

ହୃଦୟ ନାଭି ବେନି ହୋଇ

ଇନ୍ଦ୍ର ଯେ ଗୁହ୍ୟ ବେନି ହୋଇ

।।

ଏମନ୍ତେ ଚଉଦ ବ୍ରହ୍ମାଣ୍ଡ

କହିବା ପୃଥୀ ନବଖଣ୍ଡ

।।

ପ୍ରଥମ ଖଣ୍ଡ ପୃଥୀ ଯେହି

ତାଳୁକା ପୁର ସେ ଅଟଇ

।।

ଦ୍ଵିତୀୟ ଖଣ୍ଡ କର୍ଣ୍ଣ କହି

ତୃତୀୟ ଖଣ୍ଡ ଚକ୍ଷୁ ହୋଇ

।।

ଚତୁର୍ଥ ଖଣ୍ଡ ନାସା ଜାଣ

ପଞ୍ଚମ ଖଣ୍ଡ ମୁଖ ପୁଣ

।।

ଷଷ୍ଠ ଖଣ୍ଡ ହେ ତୋର କଣ୍ଠ

ସପ୍ତମ ଖଣ୍ଡ ହୃଦତଟ

।।

ଅଷ୍ଟମ ଖଣ୍ଡ ନାଭି କହି

ନବମ ଖଣ୍ଡ ଇନ୍ଦ୍ର ହୋଇ

।।

ଏମନ୍ତ ହେଲା ନବଖଣ୍ଡ

ତୋତେ କହିଲି ଜ୍ଞାନ ଖଣ୍ଡ

।।

ସପତ ଦ୍ଵୀପ ଦେବା କହି

ସପତ ସମୁଦ୍ର ଯେ ଫେଇ

।।

ତାଳୁକୁ କୁଶ ଦ୍ଵୀପ କହି

ତା ମଧ୍ୟେ କ୍ଷୀର ସମୁଦ୍ରହିଁ

।।

କ୍ଷୀର ସମୁଦ୍ରେ ନିରାକାର

କରିଛି ଅନନ୍ତ ବିହାର

।।

ନାଭିକି ଜମ୍ବୁଦ୍ଵୀପ କହି

ତା ମଧ୍ୟେ ଲୁଣ ସମୁଦ୍ରହିଁ

।।

ପଲାଶଦ୍ଵୀପ ହୃଦ କହି

ତା ମଧ୍ୟେ ଇକ୍ଷୁ ସମୁଦ୍ରହିଁ

।।

ରମ୍ୟକଦ୍ଵୀପ କଣ୍ଠଦ୍ଵାର

ସୁରା ସମୁଦ୍ର ତା ମଧ୍ୟର

।।

କାଞ୍ଚନ ଦ୍ଵୀପ ମୁଖ କହି

ଇକ୍ଷୁ ସମୁଦ୍ର ମଧ୍ୟେ ରହି

।।

ଏମନ୍ତ ସପତ ସମୁଦ୍ର

ସପତ ଦ୍ଵୀପ ଏହି ମଧ୍ୟ

।।

କାଳଟି ନୟନେ ବସଇ

ପ୍ରାଣିଙ୍କି ଅଜ୍ଞାନେ ନାଶଇ

।।

ଭ୍ରୁଲତା ମଧ୍ୟେ ଅର୍ଦ୍ଧମାତ୍ରା

ତାଳୁ ସନ୍ଧିରେ ବୀଜଦାତା

।।

ତ୍ରିକୂଟ ଉପରେ ଓଁ କାର

ତାଳୁ ସନ୍ଧିରେ ହେତୁକର

।।

ଦେହ ଛାଡ଼ିଲେ ପ୍ରାଣ ଯାଇ

ଏ ଆତ୍ମା ମହାଶୂନ୍ୟେ ରହି

।।

ତାଳୁକୁ କହି ମହାଶୂନ୍ୟ

ଚ଼କ୍ଷୁଟି ଅଟେ ତତ୍ତ୍ଵ ଶୂନ୍ୟ

।।

ନାସାଟି ପ୍ରେମଶୂନ୍ୟ କହି

ଧ୍ୟାନ ଶୂନ୍ୟ କର୍ଣ୍ଣ ଅଟଇ

।।

ମୁଖକୁ କହି ଜ୍ଞାନ ଶୂନ୍ୟ

ଏମନ୍ତେ ଜାଣ ପାଞ୍ଚ ଶୂନ୍ୟ

।।

ମହାଶୂନ୍ୟରେ କନ୍ୟା ଯେତେ

ଶୁଣ ଅର୍ଜ୍ଜୁନ କହୁଁ ତୋତେ

।।

ବ୍ରାହ୍ମଣ କନ୍ୟା ଦଶସସ୍ର

ଗୋପ କନ୍ୟାହିଁ ଦଶସସ୍ର

।।

ଦଶ ସହସ୍ର ଶୂଦ୍ରକନ୍ୟା

ଦଶ ସହସ୍ର ବୈଶ୍ୟକନ୍ୟା

।।

କ୍ଷତ୍ରିୟ କନ୍ୟା ଦଶସସ୍ର

ଏମନ୍ତେ ଚଉଷଠି ସସ୍ର

।।

ଉତ୍ପତ୍ତି ଦ୍ଵାରା ଇନ୍ଦ୍ରି କହି

ପ୍ରଳୟ ଦ୍ଵାର ସେ ଅଟଇ

।।

ଉକାର ତହୁଁ ରାତ୍ର ହୋଇ

ଓଁ କାର ଦିବସ ଜନ୍ମଇ

।।

ପ୍ରାଣ ଯେ ପବନ ଅଟଇ

ଅପାନ ରଜ ଭାଗ କହି

।।

ରଜରୁ ରକ୍ତ ଜାତ ହେଲା

ଏମନ୍ତେ ବ୍ୟାନ ବୋଲାଇଲା

।।

ଉଦାନ ମାଆ ପଦ୍ମ କହି

ସମାନ ଯମଜ୍ଵାଳା ହୋଇ

।।

କାମ ରୂପଟି ମନ କହି

ସୂନ୍ତ୍ର ମାର୍ଗରେ ଯୁଗ୍ମ ହୋଇ

।।

ଧାରଣ କରି ଛାଡ଼ି ଦେଲା

ସେ ବିନ୍ଦୁ ପଦ୍ମରେ ପଡ଼ିଲା

।।

ଏମନ୍ତେ ହୋଇଲା ଶରୀର

ଶୁଣ ଅର୍ଜ୍ଜୁନ ଗୀତାସାର

।।

ଭଣିଲେ ବଳରାମ ଦାସ

ବିରାଟ ଗୀତା ଜ୍ଞାନରସ

।।

 

ଇତି ଶ୍ରୀ ବିରାଟଗୀତାୟାଂ ବୈୟାସିକ୍ୟାଂ ପରମହଂସ୍ୟା ସଂହିତାୟାଂ

ଶ୍ରୀ ହରି-ଅର୍ଜ୍ଜୁନ ସମ୍ଵାଦେ ତତ୍ତ୍ଵଜ୍ଞାନ କଥନେ ନାମ ଷଷ୍ଠୋଽଧ୍ୟାୟଃ

Image

 

ସପ୍ତମ ଅଧ୍ୟାୟ

 

ଅର୍ଜୁନ ଉବାଚ

ଅର୍ଜ୍ଜୁନ ବୋଲଇ ଗୋସାଇଁ

ସଂଶୟ ଚିତ୍ତେ ପଚାରଇ

।।

ସପ୍ତବ୍ରହ୍ମାଣ୍ଡ କେତେ ନିତ୍ୟ

ଫେଡ଼ି କହିବ ହେ ଅଚ୍ୟୁତ

।।

ଶ୍ରୀ ଭବବାନୁବାଚ

ଶୁଣ ଅର୍ଜ୍ଜୁନ ମନ ଦେଇ

କହିବା ପଞ୍ଚତତ୍ତ୍ଵ ଫେଇ

।।

ସୂର୍ଯ୍ୟମଣ୍ଡଳ ଏହି ଏକ

ଚନ୍ଦ୍ର ମଣ୍ଡଳ ଦ୍ଵିତୀୟେକ

।।

ଶରୀର ଏକ ନିତ୍ୟ ଜାଣ

ଏକ ନିତ୍ୟ ଯେ ମହାଶୂନ୍ୟ

।।

ମହାଶୂନ୍ୟରେ ଏକ ନିତ୍ୟ

ଏହା ନ ଜାଣେ ଜ୍ଞାନବନ୍ତ

।।

ସୂର୍ଯ୍ୟମଣ୍ଡଳ ଯନ୍ତ୍ର ହୋଇ

ଏହା ଚିହ୍ନିଲେ ବ୍ରହ୍ମ ପାଇ

।।

ଏହି ମଣ୍ଡଳ ଅର୍ଥ ଯେତେ

ଶୁଣ କହିବା ବୀର ତୋତେ

।।

ଧ୍ରୁବ ମଣ୍ଡଳର ମହିମା

ଏହା ନ ଜାଣେ ଶିବ ବ୍ରହ୍ମା

।।

ଯେ କାଳେ ନ ଥିଲା ସଂସାର

ନ ଥିଲେ ଦେବାସୁର ନର

।।

ସେ କାଳେ ଥିଲେ ସୂର୍ଯ୍ୟ ରହି

ବିରଞ୍ଚି ନାରାୟଣ ସେହି

।।

ମହା ନାରାୟଣ ବୋଲାଇ

ଧୃବ ମଣ୍ଡଳେ ଏ ରହଇ

।।

ସପ୍ତ ବ୍ରହ୍ମାଣ୍ଡେ ଏ କରତା

ଏହାଙ୍କୁ ବୋଲିଟି ବିଧାତା

।।

ଗଗନ ମାର୍ଗେ ଏ ରହନ୍ତି

ସକଳ ଜୀବ ସର୍ଜୁଛନ୍ତି

।।

ଯେ କାଳେ ଜଳ ପ୍ରଳେ ହେଲା

ଜଳେ ବ୍ରହ୍ମାଣ୍ଡ ନାଶ ଗଲା

।।

ଏକା ରହିଲା ଶୂନ୍ୟ ବ୍ରହ୍ମ

ଆଶ୍ରମ କଲେ ମହାଶୂନ୍ୟ

।।

ଏମନ୍ତ କିଛି ଦିନ ଅନ୍ତେ

ସୃଷ୍ଟି ରଚିଲେ ଜନହିତେ

।।

ମଧୁକୈଟଭ ଜାତ କରି

ପୁଣି ସେ ତାହାଙ୍କୁ ସଂହାରି

।।

ତାହାର ମାଂସ ଜଳ ସଙ୍ଗେ

ମେଦିନୀ କଲେ ନିଜ ଅଙ୍ଗେ

।।

ତେବେ ସେ ମେଦିନୀ ନ ହେଲା

ଜଳରେ ମାଂସ ବୁଡ଼ିଗଲା

।।

ମନେ ଜାଣିଲେ ଭାବଗ୍ରାହୀ

ସୃଷ୍ଟିତ ଏମନ୍ତେ ନୁହଇ

।।

ବିରଞ୍ଚି ନାରାୟଣ ହୋଇ

ଆପଣେ ପ୍ରକାଶ ଗୋସାଇଁ

।।

ଦ୍ଵାଦଶ ସୂର୍ଯ୍ୟରୂପ ଧରି

ତେଜ ବିକାଶିଲେ ମୁରାରି

।।

ଦ୍ଵାଦଶ ସୂର୍ଯ୍ୟତେଜ ଘାତେ

ସେ ଜଳ ଶୁଖିଲା ତୁରିତେ

।।

ଜଳ ଶୁଖନ୍ତେ ହେଲା ସ୍ଥିର

ଏମନ୍ତେ ହୋଇଲା ସଂସାର

।।

ଦ୍ଵାଦଶ ସୂର୍ଯ୍ୟ ସଂହାରିଲେ

ଦ୍ଵାଦଶ କଳା ଏକ କଲେ

।।

ଆପଣେ ସୂର୍ଯ୍ୟରୂପ ହୋଇ

ନିର୍ମଳ ବ୍ରହ୍ମ ପ୍ରକାଶଇ

।।

ଚକ୍ର ମଧ୍ୟରେ ବ୍ରହ୍ମ ଥାଇ

ଅନାଦି ଶକ୍ତି ଅଛି ବୋହି

।।

ଦ୍ଵାଦଶ ସସ୍ର ସଖୀ ପୁଣି

ସୂର୍ଯ୍ୟ ନିତ୍ୟରେ ସେବା ଘେନି

।।

ସୃଷ୍ଟି କି ସିଂହାସନ କରି

ବିଜୟ ବ୍ରହ୍ମରୂପ ଧରି

।।

ଦ୍ଵାଦଶ ସସ୍ର ସଖୀ ରସେ

ଖଟି ଅଛନ୍ତି ସୂର୍ଯ୍ୟ ପାଶେ

।।

ଏହିଟି ମୂଳ ନିଜ ସ୍ଥାନ

ଏଥି ପବିତ୍ର ସର୍ବଜନ

।।

ଦ୍ଵାଦଶ କୋଣେ ବାର ସଖୀ

ଚକ୍ର ମଧ୍ୟରେ ପଦ୍ମ ଆଖି

।।

ତାହାଙ୍କ ପାରୁଶରେ ଜାଣ

ଦ୍ଵାଦଶ କିରଣହିଁ ପୁଣ

।।

ଦ୍ଵାଦଶ କିରଣ ଯେ ପୁଣ

ଉଦୟ ଦିଶେ ଭିନ୍ନ ଭିନ୍ନ

।।

ରଥର ନାମ ଅଂଶ କେତୁ

ଚକ୍ର ଗୋଟିଏ ବିଶେଷତୁ

।।

ଏଣୁଟି ଏକ ଚକ୍ର ହୋଇ

ଆକାଶ ମାର୍ଗରେ ଭ୍ରମଇ

।।

ପଚିଶ ସସ୍ର ଅଖ ଜାଣ

ଦଶ ସସ୍ର ଯେ ଅଶୀ ପୁଣ

।।

ଶତ ସହସ୍ର ଅଶ୍ଵ ତହିଁ

ଅରୁଣ ସାରଥି ଯେ ହୋଇ

।।

ଉଲଟ ଚକ୍ର ମେରୁ ଦଣ୍ଡ

ଆଦିତ୍ୟ ତେଜ ଯେ ବ୍ରହ୍ମାଣ୍ଡ

।।

ଚକ ଉଲଟେ ବିଜେ କରି

ସୂର୍ଯ୍ୟ ସେ ଶୂନ୍ୟରେ ବିହରି

।।

ଚକ ଉହାଡ଼େ ହୁଏ ନିଶି

ସେ ସୂର୍ଯ୍ୟ ମେରୁ ପୃଷ୍ଠେ ପଶି

।।

ରାତ୍ର ଦିବସ ଏହି ମତେ

ସଖୀଙ୍କ ସେବା ଅନୁବ୍ରତେ

।।

ଛାୟା ମାୟା ସେ ସଖୀ ବେନି

ସୂର୍ଯ୍ୟଙ୍କ ପ୍ରିୟବତୀ ପୁଣି

।।

ଏହି ନିତ୍ୟକୁ କର ଧ୍ୟାନ

ଏହିଟି ମହା ନାରାୟଣ

।।

ଏହି ନିତ୍ୟରେ ଦିଅ ମନ

ଲଭିବ ସ୍ଵୟଂ ପୂର୍ଣ୍ଣବ୍ରହ୍ମ

।।

ଉତ୍ପତ୍ତି କାଳେ ଏ କରତା

ପ୍ରଳୟକାଳେକ ରଖନ୍ତା

।।

ଧ୍ରୁବ ଚକ୍ରଟି ଏ ବୋଲାଇ

ଶୁଣ ଅର୍ଜ୍ଜୁନ ମନ ଦେଇ

।।

ଏହି ଚକ୍ରରେ ଦିଅ ଦୃଷ୍ଟି

ପକାଅ ଯମଦଣ୍ଡ କାଟି

।।

ଭଣିଲେ ବଳରାମ ଦାସ

ସୂର୍ଯ୍ୟମଣ୍ଡଳେ ମୋର ଆଶ

।।

 

ଇତି ଶ୍ରୀ ବିରାଟ ଗୀତାୟାଂ ବୈୟାସିକ୍ୟାଂ ପରମହଂସ୍ୟା ସଂହିତାୟାଂ

ଶ୍ରୀ ହରି-ଅର୍ଜ୍ଜୁନ ସମ୍ବାଦେ ସୂର୍ଯ୍ୟମଣ୍ଡଳ ଧ୍ରୁବଚକ୍ର ନିତ୍ୟକଥନେ ନାମ ସପ୍ତମୋଽଧ୍ୟାୟଃ ।

Image

 

ଅଷ୍ଟମ ଅଧ୍ୟାୟ

 

ଅର୍ଜ୍ଜୁନ ଉବାଚ

ଅର୍ଜ୍ଜୁନ ବୋଲଇ ଗୋସାଇଁ

କଥାଏ ପଚାରିବି ମୁହିଁ

।।

ମୁଁ ତୁମ୍ଭ ଭୃତ୍ୟଙ୍କର ଭୃତ୍ୟ

କହନା ମୋତେ ଚନ୍ଦ୍ର ନିତ୍ୟ

।।

କେତେ ଯେ ସଖିଛନ୍ତି ରହି

କିରୂପେ ସେ ନିତ୍ୟ ବସଇ

।।

କେତେକ ଚକ ଘେନି ଉଭା

କେତେ କରିଣ ତହିଁ ପ୍ରଭା

।।

କେମନ୍ତେ ଚନ୍ଦ୍ରଙ୍କର ବର୍ଣ୍ଣ

କି ଅବା ଚନ୍ଦ୍ର କେତେ ନାମ

।।

ତା ମଧ୍ୟେ ବ୍ରହ୍ମାରୂପ କେହୁ

ଏ କଥା କହ ମହାବାହୁ

।।

କେମନ୍ତେ ଭାବେ ସେ ଉଦାୟେ

କାହିଁ କେମନ୍ତେ ରୂପ ହୁଏ

।।

ସାରଥି କେ ଅବା ହୋଇଛି

କେମନ୍ତେ ରଥ ବାହୁଅଛି

।।

ରଥକୁ ବାହୁଅଛି କେହୁ

ତା ନାମ କହି ମହାବାହୁ

।।

କହିଲେ ପ୍ରଭୁ ଚକ୍ରପାଣି

ତରିବି ତବ ମୁଖୁ ଶୁଣି

।।

କେମନ୍ତ ଯନ୍ତ୍ର ଯେ ବସଇ

କହି ହେ ପ୍ରଭୁ ଭାବଗ୍ରାହୀ

।।

ଚନ୍ଦ୍ର ମଣ୍ଡଳ କଥା କହି

ମନରୁ ଫେଡ଼ ମୋ ସନ୍ଦେହ

।।

ଶ୍ରୀ ଭଗବାନୁବାଚ

ଅର୍ଜ୍ଜୁନ ବାକ୍ୟ ଶୁଣି କର୍ଣ୍ଣେ

କହନ୍ତି ପ୍ରଭୁ ଜନାର୍ଦ୍ଦନେ

।।

ଶୁଣ ଅର୍ଜ୍ଜୁନ ମହାବୀର

କହିବା ଚନ୍ଦ୍ରଙ୍କ ବିଚାର

।।

ଅତି ଗୁପତ କଥା ଏହି

ତୋତେ ମୁଁ କହୁଅଛି ଫେଇ

।।

ଆଦି ଚକ୍ରଟି ଏ ବୋଲାଇ

ଏଥିରେ ସଂଶୟ ଯେ ନାହିଁ

।।

ନିରଞ୍ଜନ ଚକ୍ର ଏ ସାର

ଏ ଯନ୍ତ୍ର ଜ୍ଞାନୀଙ୍କର ପର

।।

ଏବେ ମୁଁ ତୋତେ ଦେବି କହି

ଶୁଣ ଅର୍ଜ୍ଜୁନ ମନ ଦେଇ

।।

ପ୍ରଥମେ ମହାଶୂନ୍ୟ ଅଛି

ତା ତଳେ ଧର୍ମ ମାତ୍ର ଗଛି

।।

ତା ତଳେ ଓଁ କାର ପ୍ରମାଣ

ଓଁ କାରୁ ତ୍ରିବୀଜ ଜନମ

।।

ତ୍ରୀବୀଜୁ ମହାମନ୍ତ୍ର ହେଲା

ସେ ମନ୍ତ୍ର ଶୂନ୍ୟରେ ରହିଲା

।।

ଯେ କାଳେ ଅଗ୍ନି ତେଜ ବଳେ

ବ୍ରହ୍ମାଣ୍ଡ ଜଳିଗଲା ହେଳେ

।।

ଚନ୍ଦ୍ର ଶୀତଳ ତେଜ ହୋଇ

ଶୀତଳ ଜଗତ କରଇ

।।

କହିବା ଶୁଣ ହେ ଅର୍ଜ୍ଜୁନ

ଯନ୍ତ୍ରରେ ଯେତେକ ବିଧାନ

।।

ପଚିଶ ସସ୍ର ସଖୀ ତହିଁ

ସେବା ନିତ୍ୟରେ ଛନ୍ତି ରହି

।।

ଷଡ଼ ସହସ୍ର ଅଶ୍ଵ ସାଜି

ଯୋଚା ହୋଇଛି ତହିଁ ବାଜୀ

।।

ସାରଥି ହୋଇଛି ପବନ

ତେଜ ଜିଣଇ ଶୁକ୍ଳବର୍ଣ୍ଣ

।।

ଷୋଳ ସହସ୍ର ସଖୀ ଛନ୍ତି

ସ୍ପଟିକ ବର୍ଣ୍ଣ ସେ ଦିଶନ୍ତି

।।

ନିତ୍ୟକୁ ଶିରେ ଛନ୍ତି ବହି

ସେ ସଖୀମାନେ ଛନ୍ତି ରହି

।।

ଶଶାଙ୍କ ମଣ୍ଡଳେ ଆସନ

ମହାଶୂନ୍ୟକୁ କରି ଧ୍ୟାନ

।।

କୋଟିଏ ବ୍ରହ୍ମା ଶିବ ଗଲେ

ସଖୀଙ୍କ ଧ୍ୟାନହିଁ ନ ଟଳେ

।।

ଚନ୍ଦ୍ର ଲୋକକୁ ଏକ ଦିନ

କୋଟିଏ ବ୍ରହ୍ମା ବିଷ୍ଣୁ ଜନ୍ମ

।।

ବତିଶ ସସ୍ର କୋଟି ହୋଇ

ଚନ୍ଦ୍ର ମଣ୍ଡଳ ନିତ୍ୟେ ଯହିଁ

।।

ରାତ୍ର ଯେ ଷୋଳ ଘଡ଼ି ହୋଇ

ଷୋଳ ସଖୀଙ୍କ ପ୍ରଭା ସେହି

।।

ରାଧିକା ମଣ୍ଡପ ତା ନାମ

ଚନ୍ଦ୍ର ମଣ୍ଡଳ ନିତ୍ୟଧାମ

।।

ପ୍ରତିପ ଦିନ ଚନ୍ଦ୍ର ନାହିଁ

କୃଷ୍ଣ କୋଳରେ ଗୋପ୍ୟ ହୋଇ

।।

ଦ୍ଵିତୀୟା ଦିନ ଲଲାଟରେ

ତୃତୀୟା ଦିନ ଚକ୍ଷୁ ଦ୍ଵାରେ

।।

ଚତୁର୍ଥ ଦିନ ଚନ୍ଦ୍ର ପୁଣ

ନାସାରେ କରଇ ଆସନ

।।

ପଞ୍ଚମ ଦିନ ଓଷ୍ଠେ ଥାଇ

ଷଷ୍ଠରେ କର୍ଣ୍ଣରେ ବସଇ

।।

ସପ୍ତମୀ ଦିନ ହୃଦମଧ୍ୟେ

ଅଷ୍ଟମୀ ଦିନ ନାଭି ପଦ୍ମେ

।।

ନବମୀ ଦିନ ଗୃହେ ଥାଇ

ଦଶମୀ ଇନ୍ଦ୍ରରେ ବସଇ

।।

ଏକାଦଶୀରେ ଜାନୁ ମଧ୍ୟେ

ଦ୍ଵାଦଶୀ ଦିନ ଆଣ୍ଠ ଭାଗେ

।।

ତ୍ରୟୋଦଶୀରେ ନଳେ ଥାଇ

ଚତୁର୍ଦ୍ଦଶୀରେ ଗଣ୍ଡେ ରହି

।।

ଅମାସ୍ୟାଦିନ ପାଦେ ଥାଇ

ବିଷ୍ଣୁ କୋଳରେ ଗୋପ୍ୟ ହୋଇ

।।

ସଖୀଙ୍କ ପଞ୍ଚଦଶ କଳା

ସେ ବ୍ରହ୍ମରୂପେ ଏକ କଳା

।।

ଏମନ୍ତ ଷୋଳକଳା ହୋଇ

ନିତ୍ୟକୁ ଶିରେ ଛନ୍ତି ବହି

।।

ଏଣୁ ସ୍ତିରୀଙ୍କ ଷୋଳକଳା

ଚାଳିବ ଜାଣି ଚନ୍ଦ୍ର କଳା

।।

ଯେ ଦିନ ଯେଉଁ ତିଥି ହୋଇ

ରତି କାଳରେ ତହିଁ ନେଇ

।।

ଅଙ୍ଗୁଷ୍ଠି ନଖରେ ଚାଲିବ

ଅର୍ଜ୍ଜୁନେ କହିଲେ ମାଧବ

।।

ଚନ୍ଦ୍ରଙ୍କ ଷୋଳକଳା ଯେହି

ବ୍ରହ୍ମାଣ୍ଡେ ତେଜ ପ୍ରକାଶଇ

।।

ଚନ୍ଦ୍ରକଳାକୁ ଜାଣିଥିବ

ନ ହେଲେ କାଳ ମାରିନେବ

।।

ଚନ୍ଦ୍ରମା ବୋଲି ଯେ ଅଟଇ

ଆଦି ଶକ୍ତିଟି ସେ ବୋଲାଇ

।।

କାଳ ରୂପଟି ସେ ହୋଇଛି

ପ୍ରାଣକୁ ପିଣ୍ଡରେ ଗ୍ରାସିଛି

।।

ପିଣ୍ଡରେ ଜଳ ପ୍ରଳେ ହୋଇ

ସେ ଦେବୀ ମୁଖୁ ଜାତ ହୋଇ

।।

ତା ମୁଖୁଁ ଜଳ ହୁଏ ଜାତ

ପିଣ୍ଡକୁ କରଇ ସେ ହତ

।।

ଦିବସେ ବିଷ୍ଣୁ କଳା ହୋଇ

ପ୍ରାଣୀ ସଂସାରେ କ୍ରୀଡ଼ୁ ଥାଇ

।।

ଯହୁଁ ହୁଅଇ ରାତ୍ରକାଳ

ସେ ଚନ୍ଦ୍ର ହୁଅଇ ଉଜ୍ଜ୍ଵଳ

।।

ତାହାର ବଳେ ଯେହୁ ହୋଇ

ପ୍ରାଣୀକୁ ମୋହିତ କରଇ

।।

ଏଣୁ ମୁନୀନ୍ଦ୍ର ଯୋଗୀଜନ

କାଳରାତ୍ରିକି କରି ଧ୍ୟାନ

।।

ଚନ୍ଦ୍ର ମଣ୍ଡଳେ ଧ୍ୟାନ ରଖ

ବ୍ରହ୍ମାଣ୍ଡେ ନ ପାଇବ ଦୁଃଖ

।।

ଚନ୍ଦ୍ର ମଣ୍ଡଳେ ଲୀଳାସାର

ଶୁଣ ଅର୍ଜ୍ଜୁନ ମହାବୀର

।।

ଅର୍ଜ୍ଜୁନ ଶୁଣି କୃତ କୃତ୍ୟ

କୃଷ୍ଣ ଚରଣେ ଦେଇ ଚିତ୍ତ

।।

ଭଣିଲେ ବଳରାମ ଦାସ

ବିରାଟ ଗୀତା ମହାରସ

।।

 

ଇତି ଶ୍ରୀ ବିରାଟଗୀତାୟାଂ ବୈୟାସିକ୍ୟାଂ ପରମହଂସ୍ୟା ସଂହିତାୟାଂ

ଶ୍ରୀ ହରି-ଅର୍ଜ୍ଜୁନ ସମ୍ବଦେ ଚନ୍ଦ୍ରମଣ୍ଡଳ ନିତ୍ୟକଥନେ ନାମ ଅଷ୍ଟମୋଽଧ୍ୟାୟଃ ।

Image

 

ନବମ ଅଧ୍ୟାୟ

 

ଅର୍ଜ୍ଜୁନ ଉବାଚ

ଅର୍ଜ୍ଜୁନ ବୋଲଇ ଗୋସାଇଁ

କଥାଏ ପଚ଼ାରିବି ମୁହିଁ

।।

ବିରାଟ ବୋଲି ସେ କେମନ୍ତ

ଏ ଜ୍ଞାନ କହି ଗୋପୀନାଥ

।।

ବିରାଟ ଜ୍ଞାନ ସ୍ଥିତି କହ

ମନରୁ ଫେଡ଼ ମୋ ସନ୍ଦେହ

।।

ମହାଶୂନ୍ୟରେ ତୋର ସ୍ଥାନ

କି ରୂପେ କରୁଛୁ ବିଶ୍ରାମ

।।

ଯେତେକ ତହିଁ ବାଳଖେଳା

କି ରୂପେ କରୁଛନ୍ତି ଲୀଳା

।।

କେତେକ କୋଠ ନିତ୍ୟ ହୋଇ

କେମନ୍ତେ ରୂପ ସେ କରଇ

।।

ବ୍ରାହ୍ମଣ କନ୍ୟାହିଁ କେତେ ଛନ୍ତି

ଗୋପକନ୍ୟା କେତେ ବସନ୍ତି

।।

ମୁନି କନ୍ୟାହିଁ କେତେ ଛନ୍ତି

କେତେହେଁ ଶୁଦ୍ରକନ୍ୟା ଛନ୍ତି

।।

ଏମନ୍ତ କେତେ ସଖିଗଣ

କାହାକୁ କରନ୍ତି ସେ ଧ୍ୟାନ

।।

କେମନ୍ତ ପ୍ରକାରେ ସେ ନିତ୍ୟ

ଫେଡ଼ କହ ହେ ଜଗନ୍ନାଥ

।।

ତ୍ରିକୋଣ ଷଷ୍ଠ କୋଣ କେହୁ

ଅଷ୍ଟକୋଣ କେ ମହାବାହୁ

।।

ମହାଶୂନ୍ୟରେ ସ୍ଥାନମାନ

କେମନ୍ତ ପ୍ରକାର ଭିଆଣ

।।

ଶେଷ ଦେବଟି କାହିଁ ଛନ୍ତି

ସପତଫଣୀ ବହିଛନ୍ତି

।।

ବିରାଟ ଯେ ଭାବ ବୋଲଇ

ସେ ଭାବ କହ ମୋତେ ତୁହି

।।

ଓଁ କାର ମକାରହିଁ ଥିବ

ଏ ମହାମନ୍ତ୍ର ଜନ୍ମ ହେବ

।।

ଏହି ପ୍ରକାରେ କହ ମୋତେ

ସୁଦୟା ଯେବେ ଅଛି ଚ଼ିତ୍ତେ

।।

ଷଡ଼ ଚକ୍ରହିଁ ବସିଥିବ

ଓଁ କାର ଶୂନ୍ୟରେ ମିଶିବ

।।

ବିରାଟ କେମନ୍ତେ ମୂରତି

କି ରୂପେ ମହା ଶୂନ୍ୟେ ଥାନ୍ତି

।।

ମହା ଶୂନ୍ୟରେ ଭେଦ କେତେ

ନିର୍ଣ୍ଣୟ କରି କହ ମୋତେ

।।

ଶ୍ରୀ ଭଗବାନୁବାଚ

କହନ୍ତି ପ୍ରଭୁ ମହାବାହୁ

ଶୁଣ ଅର୍ଜ୍ଜୁନ ତୋତେ କହୁ

।।

ଶୁଣ ଅର୍ଜ୍ଜୁନ ସାଧୁ ଚେତା

କହିବା ମହାଶୂନ୍ୟ କଥା

।।

ସ୍ଫଟିକ ବର୍ଣ୍ଣ ସେ ଦିଶଇ

ମହାଶୂନ୍ୟରେ ରୂପ ଏହି

।।

ତାରାଗଣଙ୍କ ରୂପ ଯେହି

ସଖୀଗଣଙ୍କ ତେଜ ସେହି

।।

ମହାଶୂନ୍ୟରେ ରୂପ ସ୍ଥାନ

ଯେସନେ ବ୍ରଜରାଜ ପୁଣ

।।

ବିରାଟ ଯନ୍ତ୍ର ବସାଇବା

ତୋ ମନୁ ସଂଶୟ ଫେଡ଼ିବା

।।

ବିରାଟ ପୁରୁଷଟି ଯେହି

ନିର୍ଣ୍ଣୟ କରି କହିବଇଁ

।।

ଏବେ କହିବା ବୀର ଶୁଣ

ତହିଁର ଯେ ବିଧି ବିଧାନ

।।

ଷଷ୍ଠୀ ସହସ୍ର ବ୍ରହ୍ମସୁତେ

ନୃତ୍ୟକୁ ବାନ୍ଧିଛନ୍ତି ହସ୍ତେ

।।

ମଣ୍ଡଳ ଆକୃତି ଯେ ହୋଇ

ନୃତ୍ୟକୁ ଶିରେ ଛନ୍ତି ବହି

।।

ଷୋଳସହସ୍ର କନ୍ୟାଗଣ

ପ୍ରଭୁ ସେବାରେ ଅନୁକ୍ଷଣ

।।

ଚାରି ସହସ୍ର ବ୍ରହ୍ମକନ୍ୟା

ଚାରିସହସ୍ର ଗୋପକନ୍ୟା

।।

ସମସ୍ତେ ଷୋଳସସ୍ର ହୋଇ

ତାହାକୁ ଶିରେ ଛନ୍ତି ବହି

।।

କ୍ରୟ କୋଣର କ୍ରୟ ଦେବା

ଏଠାରେ କ୍ରୟସଖୀ ସେବା

।।

ତହିଁର ପାଶେ ଅଷ୍ଟକୋଣ

ଷଷ୍ଠ ସଖୀହିଁ ଛନ୍ତି ପୁଣ

।।

ଷଷ୍ଠ କୋଣରେ ପାଶେ ପୁଣ

ଅଷ୍ଟ କୋଣହିଁ ଅଛି ଜାଣ

।।

ବ୍ରହ୍ମା ସୁତଙ୍କ ଚଉପାଶେ

ବାଳକ ଗଣ ହୋଇ ତୋଷେ

।।

ନିତ୍ୟ ଉପରେ ମହାଶୂନ୍ୟ

ଶୂନ୍ୟ ଉପରେ ବ୍ରହ୍ମ ଜାଣ

।।

ବ୍ରହ୍ମ ଉପରେ ଆଦିଶକ୍ତି

ତା ତଳେ ଷୋଳଶୂନ୍ୟ ଅଛି

।।

ପାଦରେ ଶୂନ୍ୟ ଯେ ବସଇ

ତା ବର୍ଣ୍ଣ ଶୁକ୍ଳ ଜ୍ୟୋତି ହୋଇ

।।

ଗୁହ୍ୟରେ ଶୂନ୍ୟେକ ବସଇ

ତା ବର୍ଣ୍ଣ ପଣ୍ଡୁର ଦିଶଇ

।।

ଇନ୍ଦ୍ରରେ ଶୂନ୍ୟେକ ବସଇ

ତା ବର୍ଣ୍ଣ ଅରୁଣ ଦିଶଇ

।।

କଣ୍ଠରେ ଶୂନ୍ୟ ଅଛି ଜାଣ

ଜଳ ସଦୃଶ ତାର ବର୍ଣ୍ଣ

।।

ନାଭିରେ ଶୂନ୍ୟେକ ବସଇ

ପୀତ ବର୍ଣ୍ଣଟି ସେ ଦିଶଇ

।।

ହୃଦରେ ଶୂନ୍ୟେକ ବସଇ

ସେ ଶୂନ୍ୟ ଶ୍ଵେତବର୍ଣ୍ଣ ହୋଇ

।।

ମୁଖରେ ଶୂନ୍ୟେକ ବସଇ

ସେ ଶୂନ୍ୟ ଶ୍ଵେତବର୍ଣ୍ଣ ହୋଇ

।।

ତହିଁ ଉପରେ ସୁଷୁମୁନା

ସେଠାରେ ଶୂନ୍ୟେକ ରଚନା

।।

ତାହାର ବର୍ଣ୍ଣ ଶୁକ୍ଳଜ୍ୟୋତି

ନାସାରେ ଦୁଇଶୂନ୍ୟ ଛନ୍ତି

।।

ଗଉର ରୂପ ସେ ଦିଶଇ

ଭ୍ରୁଲତା ସ୍ଥାନରେ ବସଇ

।।

ବେନି ଚକ୍ଷୁରେ ବେନି ଶୂନ୍ୟ

ତାଳୁକା ମଧ୍ୟ ଏକଶୂନ୍ୟ

।।

ଏମନ୍ତେ ଷାଳ ଶୂନ୍ୟ ଜାଣ

କନାଶ୍ରୀ ପୁଷ୍ପ ପ୍ରାୟ ବର୍ଣ୍ଣ

।।

ବେନି କର୍ଣ୍ଣରେ ବେନି ଶୂନ୍ୟ

ତାହାଙ୍କ ଜ୍ୟୋତି ଧୁମ୍‍ ବର୍ଣ୍ଣ

।।

ତ୍ରିକୂଟ ମଧ୍ୟେ ଏକଶୂନ୍ୟ

ତାହାଙ୍କ ଜ୍ୟୋତି ଧୁମ୍‍ ବର୍ଣ୍ଣ

।।

ଏମନ୍ତ ଷୋଳ ଶୂନ୍ୟ ହୋଇ

ଷୋଳ ଓଁ କାର ସେ ଅଟଇ

।।

ଏକ ଓଁ କାର ମହାଶୂନ୍ୟ

ଷୋଳ ଓଁ କାର ଏ ପ୍ରମାଣ

।।

ଏଥି ଉପରେ ବ୍ରହ୍ମ ଥାଇ

ତା ରୂପ ଜ୍ଞାନୀ ସେ ଜାଣଇ

।।

ଅଷ୍ଟକୋଣରେ ସପ୍ତଫଣୀ

ତା ତଳେ ସେବା ଦେବ ଜାଣି

।।

ଶେଷଦେବଙ୍କ ଷଡ଼ଚକ୍ର

ଏମନ୍ତେ ବିରାଟର ଯନ୍ତ୍ର

।।

ଏମନ୍ତ ଚଉଦ ବ୍ରହ୍ମାଣ୍ଡ

ବିରାଟ ଦେହେଁ ହୋନ୍ତି ରୁଣ୍ଡ

।।

ତୁଣ୍ଡେ ଯେ ବିରାଟ ବୋଲିବ

କାଳଫାଶ ହିଁ ଫିଟିଯିବ

।।

ମହାମନ୍ତ୍ରହିଁ ବସିଅଛି

ବିରାଟ ଜଗତ କରୁଛି

।।

ପରେ ନ କହିବୁଝି ଫେଇ

ମୋ ପାଦପଦ୍ମ ଥାଅ ଛୁଇଁ

।।

ବିରାଟ ଚରିତ ବୋଲାଇ

ଅନନ୍ତ ମହିମା ଅଟଇ

।।

ଅର୍ଜ୍ଜୁନ ଶୁଣି ହେଲା ତୋଷ

ମହାଶୂନ୍ୟକୁ କଲା ଆଶ

।।

ଭଣଇ ବଳରାମ ଦାସ

ବିରାଟ ଗୀତା ମହାରସ

।।

 

ଇତି ଶ୍ରୀ ବିରାଟଗୀତାୟାଂ ବୈୟାସିକ୍ୟାଂ ପାରମହଂସ୍ୟା ସଂହିତାୟାଂ

ହରିଅର୍ଜୁନସମ୍ବାଦେ ବ୍ରହ୍ମବିଦ୍ୟା ଚରିତକଥନେ ନାମ ନବମୋଽଧ୍ୟାୟଃ ।

Image

 

ଦଶମ ଅଧ୍ୟାୟ

 

ଅର୍ଜୁନ ଉବାଚ

ଅର୍ଜ୍ଜୁନ ବୋଲଇ ଗୋସାଇଁ

କଥାଏ ପଚାରଇ ମୁହିଁ

।।

ମହାଶୂନ୍ୟରେ ସେ ରହିଲା

ଶରୀର କେମନ୍ତେ ଗଢ଼ିଲା

।।

କେମନ୍ତେ ହୋଇଲା ଶରୀର

ଫେଡ଼ି କହିବ ମୋ ଆଗର

।।

ଶୂନ୍ୟରୁ ଖସିଲା ଯେ ବ୍ରହ୍ମ

କାହିଁରେ କଲା ସେ ବିଶ୍ରାମ

।।

କି ଖାଇ କାହିଁ କଲା ବାସ

କେମନ୍ତେ ଗଢ଼ିଲା ପୁରୁଷ

।।

ସେ ବୀଜ କେତେ ବର୍ଣ୍ଣ ହେଲା

କେତେକ ରୂପ ସେ ଧଇଲା

।।

କେତେ ଦିନରେ କଲା କାୟା

ସଂକ୍ଷେପି କରି କହ ତାହା

।।

ଶିରଟି କେତେ ଦିନେ ହେଲା

କେତେକ ଦିନେ କର୍ଣ୍ଣ କଲା

।।

ଚକ୍ଷୁ ହୋଇଲା କେତେ ଦିନେ

ନାସାଟି କଲା କେତେ ଦିନେ

।।

କେତେ ଦିନରେ ମୁଖ ହେଲା

କେତେ ଦିନେ କଣ୍ଠ ଖଞ୍ଜିଲା

।।

ହୃଦୟ କେତେ ଦିନେ ହୋଇ

ନାଭି କେତେ ଦିନେ ସର୍ଜ୍ଜଇ

।।

କେତେ ଦିନରେ ଇନ୍ଦ୍ର କଲା

ଗୁହ୍ୟ ଏ କେତେ ଦିନେ ହେଲା

।।

କେତେ ଦିନରେ ହେଲା ପାଦ

ଫେଡ଼ି କହିବା ହେ ଗୋବିନ୍ଦ

।।

ଶୁଣ ଅର୍ଜ୍ଜୁନ ବୀରମଣି

କହିବା ପିଣ୍ଡ ନିର୍ଣ୍ଣୟ ବାଣୀ

।।

ମହା ଶୂନ୍ୟରୁ ଶୂନ୍ୟ କଲା

ସେ ଶୂନ୍ୟୁ ପ୍ରଣବ ଜନ୍ମିଲା

।।

ଏମନ୍ତେ ହୋଇଲା ବେଦାନ୍ତ

ପୁଣି ସର୍ଜିଲା ଏ ଜଗତ

।।

ଶୁଣ ଅର୍ଜୁନ ଦେଇ ମନ

କହିବା ସୃଷ୍ଟିର ରଚନ

।।

ମହା ଶୂନ୍ୟରୁ ବୀର୍ଯ୍ୟ ଖସି

ମାତା ପଦ୍ମରେ ଯାଇ ପଶି

।।

ସେଠାରୁ ପଞ୍ଚଭୁତ ହେଲା

ମାତାର ପଦ୍ମେ ବିଶ୍ରମିଲା

।।

ପ୍ରଥମେ ଜଳ ପ୍ରାୟେ ଦିଶି

ସ୍ଫୋଟକ ଗୋଟିଏ ପ୍ରକାଶି

।।

ସ୍ଫୋଟକ ଭିତରେ ପବନ

ଏମନ୍ତେ ଗଢ଼ିଲା ଭୁବନ

।।

ପ୍ରଥମେ ଶଙ୍ଖବର୍ଣ୍ଣ ହୋଇ

ମତ୍ସ୍ୟରୂପ ସେ ପ୍ରକାଶଇ

।।

ତହୁଁ ଦିଶଇ ନୀଳବର୍ଣ୍ଣ

କଚ୍ଛପ ରୂପରେ ନିର୍ମାଣ

।।

କୃଷ୍ଣବର୍ଣ୍ଣ ଯେ ତାର ଜ୍ୟୋତି

ସେଠାରୁ ବରାହ ମୂରତି

।।

ତହୁଁ ଦିଶିଲା କଳାବର୍ଣ୍ଣ

ନୃସିଂହ ମୂର୍ତ୍ତି ଉତ୍ତପନ୍ନ

।।

ସେଠାରେ ପୀତବର୍ଣ୍ଣ ହେଲା

ବାମନ ମୂରତି ଧଇଲା

।।

ତହୁଁ ଦିଶଇ ଶ୍ଵେତବର୍ଣ୍ଣ

ସେଠାରେ ରୂପ ପର୍ଶୁରାମ

 

କନାଶ୍ରୀ ପୁଷ୍ପ ପ୍ରାୟ ଜ୍ୟୋତି

ସେଠାରେ ରାମଚନ୍ଦ୍ର ମୂର୍ତ୍ତି

 

ସେ ବୀଜ ପୁଣି ଶୁକ୍ଳବର୍ଣ୍ଣ

ସେଠାରେ ବଳଭଦ୍ର ନାମ

।।

ସେଠାରେ ସ୍ଫଟିକର ବର୍ଣ୍ଣ

ବଉଦ୍ଧ ରୂପଟି ପ୍ରମାଣ

।।

ଲୋହିତ ବର୍ଣ୍ଣ ବୀଜ ହୋଇ

କଳକି ରୂପ ସେ ବୋଲାଇ

।।

ସେ ବୀଜ ଦଶ ଅବତାର

ପୁଣି କହିବା ତା ବିଚାର

।।

ପ୍ରଥମେ ତାଳୁ ନିର୍ଭା କଲା

ନବମ ଦିନେ ସେ ହୋଇଲା

।।

ମହାଶୂନ୍ୟଟି ତାକୁ କହି

ସେଠାରେ ଜ୍ୟୋତି ଅଛି ରହି

।।

ଅଠର ଦିନରେ ଲଲାଟ

ସତାଇଶ ଦିନେ କବାଟ

।।

ପଞ୍ଚ ଚାଳିଶେ ନାସା ହେଲା

ଚକ୍ଷୁ ଛତିଶ ଦିନେ କଲା

।।

ଚୌବନ ଦିନେ ମୁଖ ହୋଇ

ତୋଷଠି ଦିନେ କର୍ଣ୍ଣ ହୋଇ

।।

ବାସ୍ତୁରୀ ଦିନେ ହୃଦ ହୋଇ

ଏକାଶୀ ଦିନେ ନାଭି ହୋଇ

।।

ନବେ ଦିନରେ ଇନ୍ଦ୍ର କଲା

ଶଏ ଦିନରେ ଗୁହ୍ୟ ହେଲା

।।

ବିଶାଶତରେ ହସ୍ତ ହୋଇ

ଦୁଇଶତେ ମେରୁ ସର୍ଜ୍ଜଇ

।।

ଅର୍ଜ୍ଜୁନ ଉବାଚ

ପୁଣି ଅର୍ଜ୍ଜୁନ ପଚାରଇ

ଅକ୍ଷର ଭେଦ କହ ଫେଇ

।।

ଲଲାଟକ୍ଷର କେତେ ଦିନ

କହି ହେ କମଳ ଲୋଚନ

।।

କଣ୍ଠରେ କେତେ ଯେ ଅକ୍ଷର

କହିବା ହେଉ ଚକ୍ରଧର

।।

ହୃଦରେ କେତେକ୍ଷର ରହି

କହ ହେ ପ୍ରଭୁ ଭାବଗ୍ରାହୀ

।।

ନାଭି ଅକ୍ଷର କେତେ ରହି

କେତେ ଦିନରେ ସେ ବସଇ

।।

ଇନ୍ଦ୍ରରେ କେତେକ୍ଷର ପୁଣ

କହିହେ ପ୍ରଭୁ ଭଗବାନ

।।

ଗୁହ୍ୟରେ କେତେ କ୍ଷର ବସେ

କହ କେଶବ ମନ ଯୋଷେ

।।

ସଂଶୟ ଫେଡ଼ି ମୋତେ କହ

ଯେବେ ଘେନିଲ ମୋ ବିନୟ

।।

ଶ୍ରୀ ଭଗବାନୁବାଚ

କହନ୍ତି କମଳା ରମଣ

ଶୁଣ ଅର୍ଜ୍ଜୁନ ତତ୍ଵଜ୍ଞାନ

।।

ଲଲାଟେ ବେନିକ୍ଷର ରହି

ଅଷ୍ଟ ଦିଗରେ ସେ ବସଇ

।।

ଷୋଳ ଅକ୍ଷର କଣ୍ଠେ ପୁଣ

ବାସ୍ତରୀ ଦିନେ ହୋ ଅର୍ଜ୍ଜୁନ

।।

ହୃଦରେ ବାରକ୍ଷର ରହି

ବିଶାଶଏରେ ନିର୍ଭା ହୋଇ

।।

ନାଭିରେ ଦଶକ୍ଷର ଜାଣ

ଶଏ ଷାଠିରେ ସେ ନିର୍ମାଣ

।।

ମାତାର ପଦ୍ମେ କରି ବାସ

ଏମନ୍ତେ ବିରାଟ ପୁରୁଷ

।।

ମାତା ଶୂନ୍ୟଟି ଯାହା କହି

ବିରାଟ ପୁରୁଷଟି ସେହି

।।

ମୁରାଟ ଶରୀରେ ବସଇ

ମାରାଟ ମାତା ପଦ୍ମ କହି

।।

ମାତାର ପଦ୍ମେ ଯେତେ ଦିନ

ଆଧାର କରେ ରାମ ନାମ

।।

ଶୂନ୍ୟରେ କରିଣ ଆଶ୍ରମ

ମାତା ଶୂନକୁ କରି ସ୍ଥାନ

।।

ଶୂନ୍ୟ ଶବଦେ ମନ ଦେଇ

ମାତାର ଗର୍ଭେ ବିହରଇ

।।

ଏ ରୂପେ ପଦ୍ମ ମଧ୍ୟେ ଥାଇ

ଆପକୁ ଆପେ ଚିହ୍ନୁ ଥାଇ

।।

ଯେ ଦିନେ ହୁଅଇ ବାହାର

ସଂସାରେ ପଡ଼ି ଭ୍ରମତାର

।।

ପାସୋରେ ମାତା ଗର୍ଭଜ୍ଞାନ

ଅକର୍ମେ କରଇ ଗମନ

।।

ଏଣୁଟି ଅଳ୍ପେ ନାଶ ଯାଇ

ଶୁଣ ଅର୍ଜ୍ଜୁନ ଦେଲି କହି

।।

ଅତି କଠୋର ଏହୁ ଜ୍ଞାନ

ବିଖ୍ୟାତ ନ କରିବୁ ପୁଣ

।।

ଶୁଣି ଅର୍ଜ୍ଜୁନ ହେଲେ ତୋଷ

କୃଷ୍ଣ ଚରଣେ କରି ଆଶ

।।

ଭଣିଲେ ବଳରାମ ଦାସ

ବିରାଟ ଗୀତା ମହାରସ

।।

 

ଇତି ଶ୍ରୀ ବିରାଟଗୀତାୟାଂ ବୈୟାସିକ୍ୟାଂ ପରମହଂସ୍ୟା ସଂହିତାୟାଂ

ଶ୍ରୀ ହରି-ଅର୍ଜ୍ଜୁନ ସମ୍ବାଦେ ମାତୃଗର୍ଭ ବ୍ରହ୍ମଜ୍ଞାନ କଥନେ ନାମ ଦଶମୋଽଧ୍ୟାୟଃ ।

Image

 

ଏକାଦଶ ଅଧ୍ୟାୟ

 

ଅର୍ଜ୍ଜୁନ ଉବାଚ

ଅର୍ଜ୍ଜୁନ ମନରେ ବିଚାରି

ଗୋବିନ୍ଦ ପାଦ କରେ ଧରି

।।

ବୋଲଇ ଯୋଡ଼ି ବେନି କର

ମୋତେ ଉଦ୍ଧର ଦାମୋଦର

।।

ବିରାଟ ସୁରାଟ ମୁରାଟ

ଶୁଣିଲେ ଫିଟିବ ସଂକଟ

।।

ବୃକ୍ଷ ଉତ୍ପତ୍ତି ଯେ କହିଲ

ପ୍ରଳୟ କିପାଁ ଗୋପ୍ୟ କଲ

।।

ପ୍ରଳୟ ହୋଇଲା କେମନ୍ତେ

ଏ କଥା କହି ଗୋପୀନାଥ

।।

ଚୌବନୀ ମଧ୍ୟେ ଚାରିବେଦ

ସ୍ତିରୀ ପୁରୁଷ ତତ୍ତ୍ଵ ବୋଧ

।।

ଏମନ୍ତ ଅକ୍ଷୟ ପ୍ରବେଶ

କେ ଅବ ସ୍ତିରୀ କେ ପୁରୁଷ

।।

ଏ ତତ୍ତ୍ଵଭେଦ ଫେଡ଼ି କହ

ତେବେ ସେ ଫିଟିବ ସଂଶୟ

।।

ଶ୍ରୀ ଭଗବାନୁବାଚ

କହନ୍ତି ଶରଣ ସୋଦର

ଶୁଣ ଅର୍ଜ୍ଜୁନ ତତ୍ତ୍ଵସାର

।।

ଆହେ ଅର୍ଜ୍ଜୁନ ମନ ଦେଇ

ଅକ୍ଷର ଭେଦ ଦେବା କହି

।।

ମହାଶୂନ୍ୟରୁ ଶୂନ୍ୟ ହେଲା

ସେ ଶୂନ୍ୟୁ ପ୍ରଣବ ଜନ୍ମିଲା

।।

ପ୍ରଣବୁ ଅକ୍ଷର ସମ୍ଭୁତ

ଜୀବ ପରମ ଦୁଇ ମତ

।।

ଆଆଟି ଜୀବ ହୋଏ ହତ

ପଛେ ସେ ପରମ ସମ୍ଭୁତ

।।

ସିଇଟି ପରମ ଅଟଇ

ଧିଇଟି ସ୍ତିରୀ ବୋଲି କହି

।।

ଋଊଟି ଅଟଇ ଯେ ସ୍ତିରୀ

ଌ ଌ ଟି ପୁରୁଷରେ ସରି

।।

ଏ ଟି ଅଟଇ ଜାଣ ସ୍ତିରୀ

ଐ ଟି ପୁରୁଷରେ ସରି

।।

ଅଂଟି ଅଟଇ ଜାଣ ସ୍ତିରୀ

ଅଃ ଟି ଯେ ପୁରୁଷରେ ସରି

।।

କଅ ଟି ବୋଲାଏ ପୁରୁଷ

ଖ ଅ ଯେ ସ୍ତିରୀହିଁ ପ୍ରକାଶ

।।

ଗଅକୁ ପୁରୁଷ ଯେ କହି

ଘଅଟି ସ୍ତିରୀ ଯେ ବୋଲାଇ

।।

ଙଅଟି ଓଁ କାର ପ୍ରମାଣ

ସ୍ତିରୀ ପୁରୁଷ ଦୁଇଜଣ

।।

ଚଅକୁ ସ୍ତିରୀ ବୋଲି କହି

ଛଅ ଯେ ପୁରୁଷ ଅଟଇ

।।

ଜଅକୁ ସ୍ତିରୀ ବୋଲି ଜାଣ

ଝଅଟି ପୁରୁଷ ପ୍ରମାଣ

।।

ଞଟି ଅଟଇ ପୁରୁଷ

ଟଅ ଯେ ସ୍ତିରୀଙ୍କ ସଦୃଶ

।।

ଠଅକୁ ସ୍ତିରୀ ବୋଲି କହି

ଡଅ ଯେ ପୁରୁଷ ବୋଲାଇ

।।

ଢଅ ଯେ ସ୍ତିରୀ ବୋଲି ଜାଣ

ଣଅଟି ପୁରୁଷ ପ୍ରମାଣ

।।

ତଅରୁ କ୍ଷଅ ପରିଯନ୍ତେ

ସ୍ତିରୀ ପୁରୁଷ ଏ ଜଗତେ

।।

ପୁଣି ଅର୍ଜୁନ ପଚାରଇ

ମୁଁ ତୁମ୍ଭ ସେବକ ଅଟଇ

।।

ସାତ ସମୁଦ୍ର ସାତଦ୍ଵୀପ

ଏହାର କହ ଠାରି ମାପ

।।

ଦ୍ଵୀପକୁ ସମୁଦ୍ର ବେଢ଼ିଛି

କେତେ କେତେ ସେ ଛଡ଼ା ଅଛି

।।

ଶ୍ରୀମୁଖେ ମୋତେ ଆଜ୍ଞାକର

ସଂଶୟ ଫିଟିବ ମୋହର

।।

ଶ୍ରୀ ଭବବାନୁବାଚ

କହନ୍ତି ପ୍ରଭୁ ଭାବଗ୍ରାହୀ

ଶୁଣ ଅର୍ଜୁନ ମନ ଦେଇ

।।

ନାଭିକିଜମ୍ବୁଦ୍ଵୀପ କହି

ଲକ୍ଷେ ଯୋଜନ ସେ ଅଟଇ

।।

ଲବଣ ସମୁଦ୍ର ବଢ଼ିଛି

ଦ୍ଵାଦଶ ସସ୍ତ ଲମ୍ବ ଅଛି

।।

ହୃଦୟ ପଳାଶ ଯେ ଦ୍ଵୀପ

ଚାଳିଶ ସସ୍ତ ତାର ଧାପ

।।

ବେଢ଼ିଛି ଇକ୍ଷୁ ଯେ ସମୁଦ୍ର

ଅତି ଗର୍ଜନ ଘୋରନାଦ

।।

ଅଠର ସହସ୍ର ଯୋଜନ

ମୁଖେ କେ କହିବା ଭାଜନ

।।

ରମ୍ୟକଦ୍ଵୀପ କଣ୍ଠ କହି

ପନ୍ଦରସସ୍ର ଯୋଜନହିଁ

।।

ସୁଗ୍ ସମୁଦ୍ର ବେଢ଼ିଅଛି

ଗର୍ଜନେ ପୃଥିବୀ କମ୍ପୁଛି

।।

ଏଗାର ସହସ୍ର ଯୋଜନ

ସେଠାକୁ ଲଗାଅ ଧିଆନ

।।

କଞ୍ଚନଦ୍ଵୀପ ମୁଖ କହି

ପଚାଶସସ୍ର ଯୋଜନହିଁ

।।

ଦଧି ସମୁଦ୍ର ବେଢ଼ିଅଛି

ଲହରୀ ଘାତେ କମ୍ପାଉଛି

।।

ଚକ୍ଷୁକୁ କୁଶ ଦ୍ଵୀପ କହି

ଯୋଜନ ତେରସହସ୍ରହିଁ

।।

ତାଳୁ କ୍ଷୀର ସମୁଦ୍ର କହି

ମଣ୍ଡଳ ଆକାରେ ରହଇ

।।

କୋଟିଏ ସହସ୍ର ଯୋଜନ

ସେଠାରେ ଅନନ୍ତ ଶୟନ

।।

ନିଗ୍ କାରଙ୍କ ସେ ଭୁବନ

ଅତି ଉଜ୍ଜ୍ଵଳ ସେହି ସ୍ଥାନ

।।

ଚକ୍ଷୁ ଲହରୀରେ ସେ ଦେଖା

ସହା ଯୋଗିରେ ସେହୁ ଲେଖା

।।

ଏ ଦୁଇ ଲହରୀ ରଖନ୍ତା

ସଂସାରେ ନାହିଁ ତାର ଚିନ୍ତା

।।

ଶୁଣି ଅର୍ଜୁନ ହେଲା ତୋଷ

ଭଣିଲେ ବଳରାମ ଦାସ

।।

 

ଇତି ଶ୍ରୀ ବିରାଟଗୀତାୟାଂ ବୟାସିକ୍ୟାଂ ପରମହଂସ ସଂହିତାୟଂ ।

ହରି ଅର୍ଜୁନ ସମ୍ବାଦେ ବ୍ରହ୍ମଜ୍ଞାନ କଥନେ ନାମ ଏକାଦଶୋଽଧ୍ୟାୟଃ ।

Image

 

ଦ୍ଵାଦଶ ଅଧ୍ୟାୟ

 

ଅର୍ଜୁନ ଉବାଚ

ଅର୍ଜୁନ ବେନି କର ଯୋଡ଼ି

କୃଷ୍ଣ ଚରଣ ତଳେ ପଡ଼ି

।।

ବୋଲଇ ଶୋକ ଗଦଗଦେ

ପ୍ରଣାମ କରି କୃଷ୍ଣ ପାଦେ

।।

ଭୋ ନାଥ ଆରତ ଭଞ୍ଜନ

ଭକ୍ତ ଜନଙ୍କ ପ୍ରାଣଧନ

।।

କଥାଏ ପଚାରିବି ମୁହିଁ

ନିର୍ମାୟା କରି କହ ଫେଇ

।।

ସୃଷ୍ଟି ଉତ୍ପନ ଯେ କହିଲ

ପ୍ରଳୟ କିପାଁ ଗୋପ୍ୟ କଲ

।।

ସୃଷ୍ଟି ପ୍ରଳୟ ମୋତେ କହ

ମନରୁ ପେଡ଼ି ମୋ ସନ୍ଦେହ

।।

ମୋହର ସଂଶୟ ରଖିବ

ଏମନ୍ତେ ବୋଲି କଲା ଭାବ

।।

ପ୍ରତି ଦିନରେ କର୍ମ କରେ

ଅଜ୍ଞାନ ଭାବରେ ବିହରେ

।।

ଏତେକ ସୁଖ ଦେହୁପାଇ

ଅଳପେ କିପାଁ ନାଶ ଯାଇ

।।

କେତେକ ତପେ ହେଲା ଜାତ

କିପାଁ ଅଳପେ ହେଲା ହତ

।।

କିବା ଅଳପାୟଶ ତାର

ଫେଡ଼ି କହିବା ମୋ ଆଗର

।।

ଶ୍ରୀ ଭଗବାନୁବାଚ

ଶୁଣ ଅର୍ଜୁନ ମନ ଦେଇ

ଅତି କଠୋର ଜ୍ଞାନ ଏହି

।।

ବିଖ୍ୟାତ ନ କରିବୁ କାହିଁ

ମୋ ପାଦପଦ୍ମ ଥାଅ ଛୁଇଁ

।।

ମାତା ପଦ୍ମରେ ଯେବେ ଥିଲା

ଶୂନ୍ୟ ବ୍ରହ୍ମରେ ଚିତ୍ତ ଦେଲା

।।

ରାମ ଶବଦ କରି ଆଶ

ମାତା ପଦ୍ମରେ କରି ବାସ

।।

ପୃଥ୍ଵୀରେ ପଡ଼ି ପାସୋରିଲା

ମାୟା ଆବୋରି କର୍ମ କଲା

।।

ସୁକର୍ମ ମାର୍ଗ ଦେଲା ଛାଡ଼ି

ସ୍ତିରୀ ସଙ୍ଗମେ ନିତ୍ୟେ ବଢ଼ି

।।

ବୋଲଇ ଅତି ସୁଖୀ ହୋଇ

ପୁତ୍ର ଦୁହିତା ଜାତ ପାଇ

।।

ମୋହର ବଂଶ ଏ ରଖିବ

ଏମନ୍ତ ବୋଲି କରେ ଭାବ

।।

ପ୍ରତି ଦିନରେ କର୍ମ କରେ

ଅଜ୍ଞାନ ମତିରେ ବିହରେ

।।

ଅକର୍ମେ ହୋଇଥାଏ ରତ

ଏମନ୍ତେ ପ୍ରାଣୀ ଯାଇ ହତ

।।

ସର୍ବଦା ଅକର୍ମେ ଗମନ

ଏହା ନ ଜାଣେ ମୂଢ଼ ଜନ

।।

ଅକ୍ଷୟ ଏ ଜୀବ ଅଟଇ

କର୍ମ କରଣେ କ୍ଷୟ ଯାଇଁ

।।

ଏମନ୍ତେ କାଳ ଆସି ଗ୍ରାସେ

ଆଶାକୁ ଅନୁକ୍ଷଣେ ତ୍ରାସେ

।।

ମନୁଷ୍ୟ ମୁଣ୍ଡେ କାଳଥାଇ

ଗଅ ଅକ୍ଷରେ ସେ ମିଶଇ

।।

କ୍ଷଅଟି ବଅରେ ମିଶଇ

ଶ୍ରଅଟି ସିଇରେ ମିଶଇ

।।

ବ ଶ୍ରୀଅ ସେଠାରୁ ଚଳନ୍ତି

ଇନ୍ଦ୍ର ଙକାରେ ସେ ମିଶନ୍ତି

।।

ବଅଟି ରଅରେ ମିଶଇ

ଶ୍ରୀଅଟି ଳଅରେ ମିଶଇ

।।

ଯଅଟି ଜୀବର ଆଦେଶ

ଲଅଟି ମଅରେ ପ୍ରବେଶ

।।

ଜଅଟି ରଅରେ ମିଶଇ

ମଅ ଯେ ଦିଅରେ ପଶଇ

।।

ବ ଭ ଯେ ତହିଁରୁ ଚଳନ୍ତି

ନାଭି ଚକ୍ରରେ ସେ ମିଶନ୍ତି

।।

ଭଅଟି ପଅରେ ପଶଇ

ବଅଟି ଫଅରେ ମିଶଇ

।।

ଏମନ୍ତେ ଅକ୍ଷର ମିଶଇ

ତୋ ଆଗେ କହଲଇଁ ଫେଇ

।।

ଜଳ ପ୍ରଳୟ ଯେବେ ହୋଇ

ପାଦରୁ ଗୁହ୍ୟକୁ ଆସଇ

।।

ଗୁହ୍ୟେ ଗଣେଶ ସରସ୍ଵତି

ମୂଷିକ ବାହାନେ ଚଳନ୍ତି

।।

ମିଳନ୍ତି ଇନ୍ଦ୍ର ଚକ୍ରେ ଯାଇଁ

କାମେଶ୍ଵର ଯେ ତହିଁ ଥାଇ

।।

ପ୍ରଳୟ ନ ପାରନ୍ତି ସହି

ଡହକ ଆସନେ ଚଳଇ

।।

ସମସ୍ତେ ବ୍ରହ୍ମପୁର ଯାନ୍ତି

ସେଠାରେ ନିଶ୍ଚିନ୍ତେ ରହନ୍ତି

।।

ବ୍ରହ୍ମ ପ୍ରଳୟ ଯେତେବେଳେ

ମିଳନ୍ତି ହୃଦୟ କମଳେ

।।

ହଂସ ଆରୋହି ପ୍ରଜାପତି

ସମସ୍ତେ ଚଳନ୍ତି ଉପେକ୍ଷି

।।

ବିଷ୍ଣୁ ଯେ ଗରୁଡ଼ ଆରେହ

ସମସ୍ତେ ଏକ ମୁଖ ହୋଇ

।।

ମିଳନ୍ତି କଣ୍ଠ ଚକ୍ରେ ଯାଇଁ

ସେଠାରେ କାଳ ନ ପଶଇ

।।

ସେଠାରେ ଈଶ୍ଵରଙ୍କ ପୁର

କାଳର ନାହିଁ ଅଧିକାର

।।

ସମସ୍ତେ ଏକମୁଖ ହୋଇ

ଜୀବ ପରମ ବାସ ଯହିଁ

।।

ବ୍ରହ୍ମ ଯେତେକ ଏଥି ଥିଲେ

ଜୀବ ପରମ ଲୀନ ହେଲେ

।।

ଜଅଟି ଶ୍ରୀ ଅକ୍ଷରେ ହୋଇ

ହଅ ଯେ ଅକ୍ଷରେ ମିଶଇ

।।

ବ୍ରହ୍ମାଣ୍ଡେ ଯେତେକ ଭିଆଣ

ଧର୍ମ ମାତ୍ରାରେ ସର୍ବ ଲୀନ

।।

ସେ ପୁଣି ବ୍ରହ୍ମରୂପ ହୋଇ

ସେ ମାତା ପଦ୍ମରେ ପଶଇ

।।

ଏମନ୍ତେ ପୃଥ୍ଵୀ ଆତ ଯାତ

କର୍ମରେ ହୋଇ ଥାନ୍ତି ଗ୍ରସ୍ତ

।।

ଅତି ଗୁପତି ଜ୍ଞାନ ଏହି

ତୋତେ କହିଲି ବୀର ଫେଇ

।।

ଏ ବାକ୍ୟଧ୍ରୁବ ବୋଲି ଜାଣ

କାହାକୁ ନ କହିବୁ ପୁଣ

।।

ମକାର ଚୌବନ ହୋଇ

ଚୌବନ କାମରେ ମିଶଇ

।।

ଏକେତ ପିଣ୍ଡ ଆତ ଯାତ

ତୋ ଆଗେ କହିଦେଲି ପାର୍ଥ

।।

ବ୍ରହ୍ମାଣ୍ଡେ ବୁଲି ତୁ ନ ମର

ବେଳହୁଁ ମୋତେ ଆଶ୍ରେକର

।।

ଜ୍ଞାନରେ ମନ ଯେବେ ଥାଇ

କାଳ ଛାରକୁ ଭୟନାହିଁ

।।

ଅର୍ଜୁନ ଶୁଣି ହେଲା ତୋଷ

କୃଷ୍ଣ ଚରଣେ କରି ଆଶ

।।

ଭଣିଲେ ବଳରାମ ଦାସ

ସୁଜନେ ଏହି ରସେ ରସ

।।

 

ଇତି ଶ୍ରୀ ବିରାଟଗୀତାୟାଂ ବୟାସିକ୍ୟାଂ ପରମହଂସ ସଂହିତାୟାଂ

ଶ୍ରୀହରି ଅର୍ଜୁନ ସଂମ୍ବାଦେ ବ୍ରହ୍ମବିଦ୍ୟା ପ୍ରଳୟ କଥନେ ନାମ ଦ୍ଵାଦଶୋଽଧ୍ୟାୟଃ ।

Image